
ଭୁବନେଶ୍ୱର ,୧୪ ଅକ୍ଟୋବର (ହି.ସ.)- ସତ୍ୟବାଦୀ ବ୍ଲକ ସରକାରୀ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ଭଙ୍ଗାରୁଜା ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି। ସରକାର ଅରାଜକତାକୁ ପ୍ରଶ୍ରୟ ଦେଉଥିବା ନବୀନ ଅଭିଯୋଗ କରିଛନ୍ତି। ଶାନ୍ତିପ୍ରିୟ ଓଡ଼ିଶାରେ ଅରାଜକତା ଓ ହିଂସାର କୌଣସି ସ୍ଥାନ ନାହିଁ। ଓଡ଼ିଶାବାସୀ ନିଶ୍ଚୟ ଏହାର ଉଚିତ୍ ଜବାବ ଦେବେ ବୋଲି ନବୀନ କହିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ଅରାଜକତା ସୀମା ଟପୁଛି, ସତ୍ୟବାଦୀ ବ୍ଲକ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ବିଜେପିର କର୍ମୀମାନେ ଘଟାଇଥିବା ହିଂସାକାଣ୍ଡ ଓଡ଼ିଶାବାସୀଙ୍କୁ ବିଚଳିତ କରିଛି। ଏହାକୁ ଦୃଢ଼ତାର ସହ ନିନ୍ଦା କରୁଛି।
ଏପରି ଅରାଜକତାକୁ ସରକାର କାହିଁକି ବାରମ୍ବାର ପ୍ରଶ୍ରୟ ଦେଉଛନ୍ତି? ସରକାରରେ ଅଛନ୍ତି ବୋଲି କ'ଣ ବିଜେପିର କର୍ମୀମାନେ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ହିଂସା ଘଟାଇବେ? ଲୋକଙ୍କ ସମ୍ପତି ଭଙ୍ଗାରୁଜା କରିବେ?
ଅରାଜକତା ପାଇଁ ଓଡ଼ିଶା ଏବେ ବିଶ୍ୱ ଦରବାରରେ ନିନ୍ଦିତ ହେଉଛି। ସରକାର ନିଦାବିଷ୍ଣୁ ସାଜି କାହିଁକି ଏହାକୁ ପ୍ରୋତ୍ସାହିତ କରୁଛନ୍ତି? ବିଜେପି ସରକାରକୁ ଆସିବା ପରେ ଭୁବନେଶ୍ୱରର ବିଏମସି କାର୍ଯ୍ୟାଳୟଠୁ ନେଇ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଆଠଗଡ଼ ଓ ଜଟଣୀରେ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ବିଜେପି କର୍ମୀମାନେ ଘଟାଇଥିବା କାଣ୍ଡକୁ ଓଡ଼ିଶାବାସୀ ଭୁଲି ନାହାନ୍ତି। ହେଲେ ସରକାର କ'ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ?
ଶାନ୍ତିପ୍ରିୟ ଓଡ଼ିଶାରେ ଅରାଜକତା ଓ ହିଂସାର କୌଣସି ସ୍ଥାନ ନାହିଁ। ଓଡ଼ିଶାବାସୀ ନିଶ୍ଚୟ ଏହାର ଉଚିତ୍ ଜବାବ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା