ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କାଲି ମତଦାନ, କ୍ୟାମ୍ପସରେ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର ସଭା କମ୍ପିଲା
ଜୟପୁର, ୧୪ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଷ୍ମ ହୋଇଉଠିଛି। ଦୀର୍ଘ ଦିନର ବ୍ୟବଧାନ ପରେ ନିର୍ବାଚନ ଆୟୋଜିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ବିଶ୍ୱ
ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ  କାଲି ମତଦାନ,  କ୍ୟାମ୍ପସ୍ରେ ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍’ ସଭା କମ୍ପିଲା:


ଜୟପୁର, ୧୪ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଷ୍ମ ହୋଇଉଠିଛି। ଦୀର୍ଘ ଦିନର ବ୍ୟବଧାନ ପରେ ନିର୍ବାଚନ ଆୟୋଜିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ତରଫରୁ ଏକ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି।

୪୩୭୩ ଭୋଟର, ୨୨ଟି ବୁଥ୍ ଓ ୫ ଜଣିଆ ଟିମ୍ - ପ୍ରଶାସନିକ ସୂଚନା ଅନୁଯାୟୀ, ଚଳିତ ନିର୍ବାଚନରେ ‘ସାମ୍ସ’ ଅନ୍ତର୍ଭୁକ୍ତ ସମୁଦାୟ ୪୩୭୩ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସୁପରିଚାଳନା ନିମନ୍ତେ କ୍ୟାମ୍ପସରେ ସମୁଦାୟ ୨୨ଟି ବୁଥ୍ ସ୍ଥାପନ କରାଯାଇଛି। ପ୍ରତ୍ୟେକଟି ବୁଥ୍ରେ ଶୃଙ୍ଖଳା ଓ ମତଦାନ ପରିଚାଳନା ପାଇଁ ୫ ଜଣିଆ ଅଧିକାରୀଙ୍କ ଟିମ୍ ନିୟୋଜିତ ରହିବେ।

ଭୋଟ୍ ଗ୍ରହଣ ସମୟ ଓ ନିୟମାବଳୀ - ଆସନ୍ତାକାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟା ପରେ ଆଉ କାହାକୁ ମଧ୍ୟ ମତଦାନ ପାଇଁ ସୁଯୋଗ ଦିଆଯିବ ନାହିଁ। ଭୋଟ୍ ଦେବା ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ପୁରୁଣା ଛାତ୍ରଛାତ୍ରୀ ନିଜର କଲେଜ ଆଇଡି କାର୍ଡ଼ ଏବଂ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଆଡମିଶନ୍ ସ୍ଲିପ୍ ସହିତ ଆଧାର କାର୍ଡ଼ କିମ୍ବା ଅନ୍ୟାନ୍ୟ ସରକାରୀ ଫଟୋ ପରିଚୟ ପତ୍ର ସାଙ୍ଗରେ ଆଣିବା ନିମନ୍ତେ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ମଣ୍ଡଳୀ ତଥା ବୁଥ୍ ପରିସରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିସହିତ ପ୍ରାର୍ଥୀମାନେ ନିର୍ବାଚନୀ ଖର୍ଚ୍ଚ ସୀମା (୫୦୦୦ ଟଙ୍କା) ମଧ୍ୟରେ ରହିବାକୁ ଏବଂ କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ନରହିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି।

୪ଟି ବ୍ଲକ୍ରେ ଭୋଟିଂ ବ୍ୟବସ୍ଥା - କ୍ୟାମ୍ପସରେ ଭିଡ଼ ନିୟନ୍ତ୍ରଣ ଓ ସହଜ ମତଦାନ ପାଇଁ ୪ଟି ବ୍ଲକ୍ରେ ବୁଥ୍ ବଂଟନ କରାଯାଇଛି: ନ୍ୟୁ ଏକାଡେମିକ୍ ବ୍ଲକ୍ , ହ୍ୟୁମାନିଟିଜ୍ ବ୍ଲକ୍, ବାୟୋଲୋଜିକାଲ ସାଇନ୍ସ, ଫିଜିକାଲ ସାଇନ୍ସ ବ୍ଲକରେ ଛାତ୍ର ଛାତ୍ରୀ ଭୋଟ ଦେବେ।

ଏଥିସହିତ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଡ୍ରାମାଟିକ୍ ସେକ୍ରେଟାରୀ, ଆଥଲେଟିକ୍ ସେକ୍ରେଟାରୀ ଏବଂ ସାଇନ୍ସ ଆସୋସିଏସନ ସେକ୍ରେଟାରୀ ପଦବୀ ନିମନ୍ତେ ସ୍ୱତନ୍ତ୍ର ବାଲଟ୍ ପେପର୍ ପ୍ରସ୍ତୁତ କରାଯାଇଛି।

ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର ସଭାରେ ଗର୍ଜିଲେ ପ୍ରାର୍ଥୀ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଆୟୋଜିତ ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫ’ର୍ କାର୍ଯ୍ୟକ୍ରମରେ ପ୍ରାର୍ଥୀମାନେ ନିଜ ନିଜର ଦୃଷ୍ଟିକୋଣ ଓ ପ୍ରତିଶ୍ରୁତି ଉପସ୍ଥାପନ କରିଥିଲେ।

ବିଶ୍ୱବିଦ୍ୟାଳୟ ନିର୍ବାଚନ ଅଧିକାରୀ କୁଳସଚିବ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୨ଟାରେ ଭୋଟ୍ ଗ୍ରହଣ ସରିବା ମାତ୍ରେ ତୁରନ୍ତ ସମ୍ପୃକ୍ତ କକ୍ଷଗୁଡ଼ିକରେ କାଉଣ୍ଟିଂ ଏଜେଂଟମାନଙ୍କ ଉପସ୍ଥିତିରେ ଭୋଟ୍ ଗଣତି ଆରମ୍ଭ କରାଯିବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରବର୍ତୀ ସମୟରେ ନିୟମାନୁଯାୟୀ ବିଜୟୀ ପ୍ରାର୍ଥୀମାନଙ୍କର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି। ସମଗ୍ର କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କର୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande