ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଆମ କଳାକାର ଚୟନ ପ୍ରକ୍ରିୟାର ପଂଚମ ଦିବସ
5th day of artists selection
ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ


ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.) - ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ଅନ୍ତର୍ଗତ ଆୟୋଜିତ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟାର ପଂଚମ ଦିବସର କାର୍ଯ୍ୟକ୍ରମ ଆଜି ସକାଳ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଝାରସୁଗୁଡ଼ାସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଯୋଗଦେଇଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ କଳାକାରମାନଙ୍କ ପାଇଁ ଏକ ସୁନ୍ଦର ମଂଚ, ଯେଉଁଠାରେ ସେମାନେ ନିଜର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିପାରିବେ। ଏହା ସରକାରଙ୍କ ଏକ ସୁନ୍ଦର ପ୍ରୟାସ ବୋଲି ମତବ୍ୟକ୍ତ କରିବା ସହ ଏହି ଚୟନ ପ୍ରକ୍ରିୟା ଜରିଆରେ ଜିଲ୍ଲାର କଳା ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ଏବଂ କଳାକାରମାନଙ୍କ ପ୍ରତିଭାକୁ ଉପଯୁକ୍ତ ମଂଚ ପ୍ରଦାନ ଦିଗରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଶିବପ୍ରିୟା ମିଶ୍ର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଡ. ସୁବାଷ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ବିଚାରକ ଭାବେ ଇନ୍ଦ୍ରମଣି ପ୍ରଧାନ, ରମେଶ ସୁନା ଏବଂ ସୁରଙ୍ଗ ପଧାନ ବିଚାରକ ଦାୟିତ୍ୱ ତୁଲାଇଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ-ନିର୍ଦ୍ଦେଶକ ଅନିଲ କେର୍କେଟା ଯୋଗଦେଇଥିଲେ।

ସମସ୍ତ ଅତିଥିଙ୍କୁ ଉତରୀୟ ଓ ପୁଷ୍ପଚାରା ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାମୂହିକ ବନ୍ଦେ ମାତରମ୍ ଗାନ ପରେ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପଂଚମ ଦିବସରେ ମୋଟ ୨୩ଟି ସାଂସ୍କୃତିକ ଦଳର ପ୍ରାୟ ୬୦୦ କଳାକାର ଅଂଶଗ୍ରହଣ କରିଥିଲେ। ସେମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, କରମା ନୃତ୍ୟ, କିସାନ ନୃତ୍ୟ, ଆଦିବାସୀ ନୃତ୍ୟ, ସମ୍ପ୍ରଦା ଆଦି ବିଭାଗରେ ନିଜ ନିଜର କଳାନୈପୁଣ୍ୟ ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ୮୦ ବର୍ଷ ବୟସ୍କ ବରିଷ୍ଠ କଳାକାର, ସଙ୍ଗୀତଜ୍ଞ ତଥା ବିଚାରକ ଶ୍ରୀ ରମେଶ ସୁନାଙ୍କ ସଙ୍ଗୀତ ଓ ନୃତ୍ୟରେ ଉପସ୍ଥିତ କଳାକାରମାନେ ଆନନ୍ଦରେ ଝୁମି ଉଠିଥିଲେ।

ଆଜି କଳାକାରମାନଙ୍କ ସମ୍ବଲପୁରୀ ଲାଇଭ୍, ସମ୍ବଲପୁରୀ ରେକର୍ଡ, ପାଲା, ନଚନିଆ, ଘୁଡ଼କା, ଦୁଲଦୁଲି, କିସାନ ନୃତ୍ୟ, ପରମା ନୃତ୍ୟ, କରମସାନି ଓ ଓଡ଼ିଶୀ ନୃତ୍ୟ ଆଦି ବିଭାଗରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।

ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁଚାରୁରୂପେ ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲିସ ପଟେଲଙ୍କ ସମେତ ରାଜେଶ ସେଠ, ଧୀରଜ ରୋଶନ ପ୍ରଧାନ, ମୌସମ ପଟେଲ, ନିହାଲ ଭୋଇ, ରବୀନ୍ଦ୍ର ନିଆଲ, ମନବୋଧ ବଗର୍ତୀ, ସମୀର କିଶାନ, କିଙ୍କନ ନାୟକ, ସୁରଙ୍ଗ ପଧାନ ଏବଂ ନର୍ମଦା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କଳାକାର, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande