
ଝାରସୁଗୁଡା, ୧୫ ଅକ୍ଟୋବର (ହି.ସ.)- ବ୍ରଜରାଜନଗର କଲେଜର ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଗୁରୁବାର ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏହି ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଦୀପ୍ତି ରଞ୍ଜନ ସାହୁ ସଭାପତି ପଦବୀରେ ବିଜୟୀ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ପରିବେଶରେ ଭୋଟ ଗଣତି ଶେଷ ହେବା ପରେ କଲେଜ କର୍ତ୍ତୃପକ୍ଷ ଫଳାଫଳ ଘୋଷଣା କରିଥିଲେ।
ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଦୀପ୍ତି ରଞ୍ଜନ ସାହୁ ୨୮୮ଟି ଭୋଟ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନ୍ତୋଷ ପ୍ରଧାନ ୧୩୧ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଶିବମ ସେଠ ୧୦୫ଟି ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପଦବୀ ପାଇଁ ମୋଟ ୫୪୭ଟି ଭୋଟ ପଡିଥିଲା। ସେଥିମଧ୍ୟରୁ ୫୨୪ଟି ବୈଧ ଭୋଟ ହୋଇଥିବା ବେଳେ ୨୩ଟି ଭୋଟ ନାକଚ ହୋଇଥିଲା।
ସେହିପରି ସାଂସ୍କୃତିକ ସମ୍ପାଦିକା ପଦବୀରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଦର୍ପଣ କୁମାରୀ ରାୟ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ୩୧୨ଟି ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଶ୍ରାବଣୀ ନାଗ ୧୯୪ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ପଦବୀ ପାଇଁ ମୋଟ ୫୪୭ଟି ଭୋଟ ମଧ୍ୟରୁ ୫୦୬ଟି ବୈଧ ଓ ୪୧ଟି ନାକଚ ଭୋଟ ରହିଥିଲା।
ନିର୍ବାଚନ ଅଧିକାରୀ, କଲେଜ ଅଧ୍ୟକ୍ଷ ଏବଂ ଗଣତି ଏଜେଣ୍ଟମାନଙ୍କ ଉପସ୍ଥିତିରେ ଭୋଟ ଗଣତି ପ୍ରକ୍ରିୟା ସମାପ୍ତ ହୋଇଥିଲା। ଏହାପରେ ବିଜୟୀ ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ଶୁଭେଚ୍ଛା ଜଣାଯାଇଥିଲା। କଲେଜର ବିଭିନ୍ନ ସମସ୍ୟାର ସମାଧାନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ବିଜୟୀ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାନୁସାରେ, ଏହି ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଏବିଭିପି ସମର୍ଥିତ। ଫଳାଫଳ ଘୋଷଣା ପରେ କଲେଜ ପରିସରରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ