
ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଯୁବସମାଜର ପ୍ରେରଣାସ୍ରୋତ ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ସହ ଜାତୀୟ ବିଦ୍ୟାର୍ଥୀ ଦିବସ ଓ ବିଶ୍ୱ ହାତଧୁଆ ଦିବସ ଶ୍ରଦ୍ଧା, ଉତ୍ସାହ ଓ ସଚେତନତାର ବାର୍ତା ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. କଲାମଙ୍କ ମହାନ ଜୀବନାଦର୍ଶ, ଦେଶପ୍ରତି ତାଙ୍କର ଅତୁଳନୀୟ ଅବଦାନ, ନିଃସ୍ୱାର୍ଥପର ସେବା ଓ ମାନବବାଦୀ ଚିନ୍ତାଧାରାକୁ ସ୍ମରଣ କରାଯାଇଥିଲା। ଜ୍ଞାନ, ବିଜ୍ଞାନ ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ଦେଶର ପ୍ରଗତି ପାଇଁ ସେ ଯେଉଁ ଅମୂଲ୍ୟ ଅବଦାନ ରଖିଯାଇଛନ୍ତି, ତାହାକୁ ସ୍ମରଣ କରି ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦେବତା ଛାତ୍ରଛାତ୍ରୀମାନଙ୍କୁ ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ, ମାନବିକତା, ସମାଜସେବା ଓ ପରୋପକାରର ମନୋଭାବକୁ ଜୀବନରେ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ, ନିରନ୍ତର ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ ଦ୍ୱାରା ଜୀବନରେ ସଫଳତା ହାସଲ କରିବା ସହ ଦେଶର ଗୌରବ ବୃଦ୍ଧି କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଅନ୍ୟପକ୍ଷରେ, ବରିଷ୍ଠ ଶିକ୍ଷୟିତ୍ରୀ ନୀଳିମା ପଟେଲ ଓ ରଶ୍ମିରେଖା ଶର୍ମା ହାତଧୁଆ ଦିବସ ଓ ଜାତୀୟ ବିଦ୍ୟାର୍ଥୀ ଦିବସର ଗୁରୁତ୍ୱ ସମ୍ପର୍କରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ବ୍ୟକ୍ତିଗତ ସ୍ୱଚ୍ଛତା, ସୁସ୍ଥ ଜୀବନଶୈଳୀ ଓ ରୋଗ ପ୍ରତିରୋଧ କ୍ଷେତ୍ରରେ ସଠିକ ଭାବେ ହାତ ଧୋଇବାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ସହ ଶିକ୍ଷାର୍ଥୀମାନଙ୍କ ଜୀବନରେ ଶୃଙ୍ଖଳା, ଜ୍ଞାନାର୍ଜନ ଓ ଉତମ ଚରିତ୍ର ଗଠନର ମହତ୍ୱ ଉପରେ ଆଲୋକପାତ କରାଯାଇଥିଲା। ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶର ସ୍ମରଣ, ସ୍ୱଚ୍ଛତା ପ୍ରତି ସଚେତନତା ଓ ଶିକ୍ଷାର୍ଥୀଙ୍କ ଦାୟିତ୍ୱବୋଧ ଜାଗ୍ରତ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମଟି ଅର୍ଥପୂର୍ଣ୍ଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ