
Bhubaneswar, 15 ଅକ୍ଟୋବର (ହି.ସ.)
ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପି୍ରମକୋର୍ଟରୁ କ୍ଲିନଚିଟ୍ ପରେ ବିଜୁ ଜନତା ଦଳର ଉପସଭାପତି ପ୍ରତାପ ଜେନା ପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କର ଶୁଭେଚ୍ଛୁ ଏବଂ ମାହାଙ୍ଗାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରତାପ ଜେନା କହିଥିଲେ ଯେ, ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ଭିତ୍ତିହୀନ ଏବଂ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ଏହି ଘଟଣାରେ ତାଙ୍କର ଆଦୌ କୌଣସି ସମ୍ପୃକ୍ତି ନଥିଲା । ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହା ପୂର୍ବରୁ ମାନ୍ୟବର ହାଇକୋର୍ଟ ମଧ୍ୟ ଏହି ମାମଲାରେ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଏହି ମାମଲାରେ ଜାଣିଶୁଣି ଫସାଇବା ଉଦେ୍ଦଶ୍ୟରେ ମୋ ନାମ ଯୋଡ଼ାଯାଇଥିଲା । ନ୍ୟାୟିକ ପ୍ରକ୍ରିୟା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା । ଶେଷରେ ସତ୍ୟ ସାମ୍ନାକୁ ଆସିଛି ଏବଂ ମୋ ବିରୋଧରେ ହୋଇଥିବା ଅଭିଯୋଗ ଗୁଡ଼ିକୁ ନ୍ୟାୟିକ ପ୍ରକ୍ରିୟା ଓ ଅଦାଲତଙ୍କ ଆଦେଶ ଆଧାରରେ ବିଚାର କରାଯାଇଛି । ରାଜନୈତିକ ଷଡ଼ଯନ୍ତ୍ର ଦ୍ୱାରା ସତ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାପି ରଖିହେବ ନାହିଁ ।
ଶ୍ରୀ ଜେନା ଆହୁରି କହିଥିଲେ ଯେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଏବଂ ମାହାଙ୍ଗାବାସୀଙ୍କ ଆଶୀର୍ବାଦ, ଭଲପାଇବା ଓ ସମର୍ଥନ ଯୋଗୁଁ ସତ୍ୟର ଜୟ ହୋଇଛି । ଏହି କଠିନ ସମୟରେ ଯେଉଁମାନେ ମୋ ସହିତ ଦୃଢ଼ ଭାବେ ଠିଆ ହୋଇଥିଲେ, ସମସ୍ତଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ମୋ ପ୍ରତି ଥିବା ବିଶ୍ୱାସ ଓ ସମର୍ଥନ ମୋତେ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା