
କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ଓ ସମ୍ପର୍କକୁ ନିୟନ୍ତ୍ରଣ କରୁଥିବା ମାର୍ଗଦର୍ଶିକା ସମ୍ପର୍କରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କ ବୁକ୍ ସର୍କୁଲାର ନମ୍ବର ୪୭ ଉପରେ ଏକ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଲିକ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବା ପାଇଁ ବୁକ୍ ସର୍କୁଲାର ନମ୍ବର ୪୭ର ପ୍ରାବଧାନଗୁଡ଼ିକୁ ପାଳନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସମସ୍ତ ସରକାରୀ ଅଧିକାରୀ ସାଂସଦ ଏବଂ ବିଧାୟକମାନଙ୍କ ସହ ଆଲୋଚନା କରିବା ସମୟରେ ସୌଜନ୍ୟତା ଏବଂ ବୃତିଗତ ଦକ୍ଷତା ବଜାୟ ରଖିବା ସହ ସେମାନଙ୍କ ପତ୍ରାଚାର ଏବଂ ଅନୁରୋଧର ସମୟାନୁବର୍ତୀ ସମାଧାନ ନିଶ୍ଚିତ କରିବା ଆବଶ୍ୟକ।
ଏହି କର୍ମଶାଳାରେ ସର୍କୁଲାରର ପ୍ରମୁଖ ପ୍ରାବଧାନଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ପତ୍ରାଚାରଗୁଡ଼ିକର ତୁରନ୍ତ ପ୍ରାପ୍ତି ସ୍ୱୀକାର ଏବଂ ସାଧାରଣତଃ ୧୫ ଦିନ ମଧ୍ୟରେ ଏହାର ସମାଧାନ, ପତ୍ରାଚାରର ଅନୁଧ୍ୟାନ ପାଇଁ ପୃଥକ ପଞ୍ଜିକା (ରେଜିଷ୍ଟର) ରକ୍ଷଣାବେକ୍ଷଣ, ଅନୁମତିଯୋଗ୍ୟ ସୂଚନା ପ୍ରଦାନ ଏବଂ ବିକାଶମୂଳକ କାର୍ଯ୍ୟ, ସହାୟତା କାର୍ଯ୍ୟ ଏବଂ ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କିତ ପରାମର୍ଶଗୁଡ଼ିକ ଉପରେ ଉପଯୁକ୍ତ ବିଚାର କରିବା ଅନ୍ତର୍ଭୁକ୍ତ ଥିଲା। ଏହାସହ ଅଂଶଗ୍ରହଣକାରୀମାନଙ୍କୁ ଗୋପନୀୟତା ରକ୍ଷା କରିବା, ନିର୍ଦ୍ଧାରିତ ନିୟମାବଳୀ ଅନୁସରଣ କରିବା ଏବଂ ପ୍ରତ୍ୟେକ ସ୍ତରରେ ଜବାବଦେହିତା ନିଶ୍ଚିତ କରିବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା।
ଏହି ଅଧିବେଶନରେ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା ଯେ, ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଜନ-କୈନ୍ଦ୍ରିକ ଶାସନ ପାଇଁ ଏହି ସର୍କୁଲାରର ଅନୁପାଳନ ଅତ୍ୟନ୍ତ ଜରୁରୀ। ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ଉଥାପିତ ବିଷୟଗୁଡ଼ିକର ସମାଧାନରେ ଯେପରି ଅନାବଶ୍ୟକ ବିଳମ୍ବ ନହୁଏ, ସେଥିପାଇଁ ବିଚାରାଧୀନ ଥିବା ପତ୍ରାଚାରଗୁଡ଼ିକର ବ୍ୟବସ୍ଥିତ ଅନୁଧ୍ୟାନ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହି କର୍ମଶାଳାରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ମାଝୀ, ଡେପୁଟି କଲେକ୍ଟର ରଜତ ପାଢ଼ୀ ଏବଂ ଆସିଷ୍ଟାଂଟ କଲେକ୍ଟର ସରୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦୁଝର ଜିଲ୍ଲାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୁକ୍ ସର୍କୁଲାର ନମ୍ବର ୪୭ର ପ୍ରାବଧାନଗୁଡ଼ିକର ସଚେତନତା ବୃଦ୍ଧି ଏବଂ ସମାନ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା, ଯାହାଦ୍ୱାରା ଉତମ ପ୍ରଶାସନିକ ସମନ୍ୱୟ ଏବଂ ଦକ୍ଷ ଜନସେବା ପ୍ରଦାନକୁ ପ୍ରୋତ୍ସାହନ ମିଳିପାରିବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA