
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଦିବ୍ୟାଙ୍ଗ ମାନଙ୍କୁ ଦୟା କିମ୍ବା ସାହାଯ୍ୟ ପରିବର୍ତେ ସହଯୋଗର ହାତ ବଢାଇ ପାରିଲେ ସେମାନେ ନିଜେ ନିଜକୁ ସ୍ୱାବଲମ୍ବୀ କରାଇ ପାରିବେ । ଭବିଷ୍ୟତରେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜକୁ ଗଢି ତୋଳିବା ସହ ଅନ୍ୟମାନଙ୍କ ସହ ସମକକ୍ଷ ହୋଇ ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ୍ ହୋଇ ପାରିଲେ ଏହି ଦିବସର ମହତ୍ୱ ଓ ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ଆଜି ଭଦ୍ରକ ଡିଆରଡିଏ ସମ୍ମିଳନୀ କକ୍ଷରେ ଆର୍ନ୍ତରଷ୍ଟ୍ରୀୟ ଧଳା ବାଡି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ସେନାର ସୁପ୍ରିମୋ ତଥା ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବର ସଂଯୋଜକ ହେମନ୍ତ ରଥ ମତପ୍ରକାଶ କରିଥିଲେ । ଏଥିସହ ବିଭିନ୍ନ ସୁଗୁଣରେ ପାରଦର୍ଶିତା ଲାଭ କରିଥିବା ଦୃଷ୍ଟି ବାଧିତ ମାନଙ୍କ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ରାଷ୍ଟ୍ରୀୟ ଦୃଷ୍ଟିବାଧିତ ସଂଘ ଓଡିଶା ଶାଖାର ସମ୍ପାଦକ ହରେକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକର ଡେପୁଟି କଲେକ୍ଟର(ଜରୁରୀ କାଳୀନ) ସାଇଶ୍ରୀ ତାଙ୍କ ବକ୍ତବ୍ୟରେ ଦୃଷ୍ଟିବାଧିତ ମାନଙ୍କ ପାଇଁ ପ୍ରତିଟି ସୁଯୋଗ ପରିବାରରୁ ଆରମ୍ଭ ଉପରେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ତଥା ରାଜନୈତିକ ଦୃଷ୍ଟି ଭଙ୍ଗୀ ସେମାନଙ୍କ ସପକ୍ଷରେ ନଯିବାକୁ ସେ ମାନସିକ ବିକୃତି ସହ ତୁଳନା କରିଥିଲେ । ସଭାରେ ଭଦ୍ରକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ୍ ବେହେରା ଦିବ୍ୟାଙ୍ଗ ଓ ଦୃଷ୍ଟି ବାଧିତ ମାନଙ୍କ ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ସେମାନଙ୍କ ନିକଟରେ ପହଚାଂଇବା ସହ ଦୃଷ୍ଟିବାଧିତ ମାନଙ୍କ ପାଇଁ ସମାନ ଅଧିକାର ସହ ସମ୍ମାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ,ସ୍ତମ୍ଭକାର ସୁବୋଧ କୁମାର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଅନ୍ତରାଷ୍ଟ୍ରୀୟ ଧଳା ବାଡି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ମତ ରଖିଥିଲେ । ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ସଂଯୋଜନାରେ ଦୃଷ୍ଟିବାଧିତ ସଂଘ ଉପସଭାପତି ଚିରଞ୍ଜିବୀ ଦାସ ଅତିଥି ପରିଚୟ , ସ୍ୱାଗତ ଅଭିଭାଷଣ ଓ ଶେଷରେ ମହିଳା ଉପସଭାନେତ୍ରୀ ସେଲଭି ବାଖଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୫୦ ଦୃଷ୍ଟିହୀନଙ୍କୁ ଧଳା ବାଡି ପ୍ରଦାନ କରାଯାଇଥିଲା । ଦୃଷ୍ଟିବାଧିତ ତାପସ କୁମାର ଜେନା, ସୌମ୍ୟରଞ୍ଜନ ବାରିକ, ସଞ୍ଜୟ ମାଝୀ, ଅଙ୍କିତା ନାଥଙ୍କ ସମେତ ଶଶିକଳା ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ । ଗାଇଡ ଶିକ୍ଷକ ପ୍ରଜ୍ଞାରାଣୀ ଦାସ, ଭାଗ୍ୟଶ୍ରୀ ସାହୁ, ସ୍ମୃତି ବେହେରା, ପାଏଲ୍ ଘଡେଇ, ସୁଦେଷ୍ଣା ଜେନା, ରମେଶ ଚନ୍ଦ୍ର ଭୂୟାଁ, ମାନସ ସେଠୀ, ରଞ୍ଜନ ରାଉଳ, ସମାଜସେବୀ ଗଦାଧର ବେହେରା, ବିଜୟ କୃଷ୍ଣ ପାଢୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ