
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗରର ପ୍ରସିଦ୍ଧ ଖାନକା ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସମ୍ଭାବ୍ୟ ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଭଦ୍ରକ ଉପ-ଜିଲ୍ଲାପାଳ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୬୩ ଧାରା ଅଧୀନରେ ନିଷେଧାଜ୍ଞା ଜାରି କରିଛନ୍ତି।ପ୍ରକାଶଯୋଗ୍ୟ ଯେ, ଆଗାମୀ ପର୍ବପର୍ବାଣି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନଂ ୩୪୪୨/ଜେୟୁଡିଏଲ, ତାରିଖ ୧୩.୧୦.୨୦୨୬ ରେ ଜାରି ହୋଇଥିବା ଆଦେଶନାମା ଅନୁଯାୟୀ, ବିପକ୍ଷ ଗୋଷ୍ଠୀ (ସୈୟଦ ଗୁଲାମ ଅହମ୍ମଦ ହବିବ୍ ଅ ମସ୍ତାନ ଓ ତାଙ୍କ ସମର୍ଥନ ଙ୍କୁ ଖାନକା କାର୍ଯ୍ୟାଳୟ ଏବଂ ଏହାର ପରିଚାଳନା ପରିସର ମଧ୍ୟକୁ ପ୍ରବେଶ କରିବା ଉପରେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଟକଣା ଲଗାଯାଇଛି।ତେବେ ଜଣେ ସାଧାରଣ ଶ୍ରଦ୍ଧାଳୁ ଭାବେ ଶାନ୍ତିପୂର୍ଣ୍ଣ ଭାବେ ପ୍ରାର୍ଥନା/ଦର୍ଶନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ, ମାତ୍ର କାର୍ଯ୍ୟାଳୟ ପରିଚାଳନାରେ କୌଣସି ପ୍ରକାର ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ବିବାଦୀୟ ସ୍ଥାନରେ କଡ଼ା ନଜର ରଖିବା ପାଇଁ ଧାମନଗର ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ତହସିଲଦାର ଓ ଥାନା ଅଧିକାରୀଙ୍କୁ ଆଦେଶର ନକଲ ପ୍ରେରଣ କରାଯାଇଛି। ପ୍ରକାଶ ଥାଉକି ଦୀର୍ଘ ଦିନ ପ୍ରସିଦ୍ଧ ପିରବାବା ଙ୍କ ଆସ୍ଥାନ ସ୍ଥଳ ରେ ଥିବା ଅଫିସ ରେ ଦାଇତ୍ୱ କୁ ନେଇ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଏପରି କି ଧାମନଗର ଥାନା ରେ ଉଭୟ ତରଫରୁ ୭ ଟି କେଶ ମଧ୍ୟ ରହିଛି। ଆଗକୁ ପିର ବାବା ଙ୍କ ବାର୍ଷିକ ଉତ୍ସବ ଥିବାରୁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ