
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଆଉ ବାକି କିଛି ଦିନ ହେଲେ ସବୁଠୁ ଚର୍ଚ୍ଚା ରେ ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ । ଏବେଠାରୁ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଦୋବଲ ବସଷ୍ଟାଣ୍ଡ ନିକଟ ବନ୍ଧ କଡ଼ରେ ଓ ଦୋବଲ ପଞ୍ଚାୟତର ବିଭିନ୍ନ ଜାଗାରେ ଲଗାଯାଇଥିବା ଏକ ବିଶାଳ ହୋର୍ଡିଂ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ଅବସରରେ ଦୋବଲ ଜିଲ୍ଲା ପରିଷଦ ଜୋନ୍ର ଅଂଚଳବାସୀଙ୍କୁ ଶୁଭେଚ୍ଛା ଜଣାଇ ଯୁବନେତା ସଞ୍ଜୟ ମହାକୁଡ଼ଙ୍କ ପକ୍ଷରୁ ଏହି ହୋର୍ଡିଂ ଲଗାଯାଇଥିବା କୁହାଯାଉଛି। ସଞ୍ଜୟ ଦୋବଲ ପଂଚାୟତର ସ୍ଥାୟୀ ବାସିନ୍ଦା ଓ ଭୋଟର ହୋଇଥିବା ବେଳେ ଏହି ହୋର୍ଡିଂଟି ଜନବହୁଳ ମୁସ୍ତଫାପୁର (ଅବିଭକ୍ତ ଦୋବଲ) ବସଷ୍ଟାଣ୍ଡରେ ଲଗାଯାଇଛି।ତେବେ ହୋର୍ଡିଂରେ ଥିବା ଫଟୋକୁ ନେଇ ଗାଁରୁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ହୋର୍ଡିଂର ଡାହାଣ ପଟେ ସଞ୍ଜୟଙ୍କ ଫଟୋ ଥିବା ବେଳେ ବାମ ପଟେ ବିଜେପି ଭଦ୍ରକ ଜିଲ୍ଲା ସମ୍ପାଦକ ଅରବିନ୍ଦ ପତିଙ୍କ ଫଟୋ ରହିଛି। ଆଉ ମଝିରେ ରହିଛି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଫଟୋ। ସଞ୍ଜୟ ନିଜ ପଂଚାୟତର ସରପଂଚ ଅଶୋକ ପଣ୍ଡା କିମ୍ବା ସମିତି ସଭ୍ୟାଙ୍କ ଫଟୋ ନ ଲଗାଇବାକୁ ନେଇ ଭିନ୍ନ ଅଙ୍କ କଷାଯାଉଛି।ଗତ ୪ ମାସ ହେଲା ସଞ୍ଜୟ ଦୋବଲ ପଂଚାୟତରେ ଦଳୀୟ ଓ ସାଂଗଠନିକ କାର୍ଯ୍ୟସୂଚୀ ଜାରି ରଖିଛନ୍ତି। ଯୁବକମାନଙ୍କୁ ସାଙ୍ଗରେ ଧରି ବୁଲିବା, ସେମାନଙ୍କ ପାଇଁ ଭୋଜିଭାତର ଆୟୋଜନ କରିବା ସହ ପଂଚାୟତର କେନ୍ଦ୍ରସ୍ଥଳ ସୋଧ ମା ସୁବର୍ଣ୍ଣମୁଖିଙ୍କ ନିକଟରେ ‘ଆଇ ଲଭ୍ ସାହୁ ସାହି’ ସାଇନେଜ୍ ଲଗାଇଛନ୍ତି। ତେବେ ସଞ୍ଜୟଙ୍କ କୌଣସି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ କିମ୍ବା ସମିତି ସଭ୍ୟା ଙ୍କୁ ପାଖରେ ରଖୁ ନାହାନ୍ତି।ସଞ୍ଜୟ ସେ ୨୦୨୭ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି।ରାଜନୈତିକ ସମୀକ୍ଷକ ମାନଙ୍କ ମତରେ, ଏହି ହୋର୍ଡିଂ ଦୋବଲ ପଂଚାୟତରେ ଭବିଷ୍ୟତର ଗୋଷ୍ଠୀ କନ୍ଦଳ ର ସଙ୍କେତ ଦେଉଛି। ଅରବିନ୍ଦ ପତି ପରୋକ୍ଷରେ ବର୍ତମାନର ସରପଂଚ ଓ ସମିତି ସଭ୍ୟା ଙ୍କ ବିରୋଧରେ ସଞ୍ଜୟ ଙ୍କୁ ଗୋଟି ଭାବେ ବ୍ୟବହାର କରୁଥିବା ଆଲୋଚନା ହେଉଛି। ଚର୍ଚ୍ଚା ହେଉଛି ଯେ ଅରବିନ୍ଦ ଆସନ୍ତା ପଂଚାୟତ ନିର୍ବାଚନରେ ବ୍ଲକ୍ ଚେୟାରମ୍ୟାନ ହେବା ଲକ୍ଷ୍ୟରେ ସମିତି ସଭ୍ୟ ପଦରେ ନିର୍ବାଚନ ଲଢ଼ି ପାରନ୍ତି। ଭବିଷ୍ୟତରେ ସାଧାରଣ ବର୍ଗର ଟାଣୁଆ ନେତା ତଥା ସରପଂଚ ଅଶୋକ ପଣ୍ଡା ତାଙ୍କ ବାଟରେ କଂଟା ହୋଇପାରନ୍ତି। ତେଣୁ ଅଶୋକଙ୍କୁ ଚେକ୍ ଦେବା ପାଇଁ ଅରବିନ୍ଦ, ସଞ୍ଜୟଙ୍କୁ ମୋହରା ବନାଉଥିବା କିଛି ସ୍ଥାନୀୟ ଲୋକ ଓ ସମୀକ୍ଷକ କହିବା ଆରମ୍ଭ କରିଦେଲେଣି। ଅନ୍ୟପକ୍ଷରେ, ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଯୁବନେତା ସଞ୍ଜୟ ମହାକୁଡ଼ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦୋବଲ ସରପଂଚ ଓ ସମିତି ସଭ୍ୟାଙ୍କ ସହ ତାଙ୍କର ସମ୍ପର୍କ ବେଶ ଭଲ ଅଛି। ଅରବିନ୍ଦ ପତି ତାଙ୍କର ଜଣେ ଭଲ ବନ୍ଧୁ ହୋଇଥିବାରୁ ତାଙ୍କ ଫଟୋ ରଖାଯାଇଛି। ସେ ପିଲାଟି ଦିନରୁ ନିରବଚ୍ଛିନ୍ନ ଭାବେ ସମାଜସେବା କରିଆସୁଥିବା କହି କେବଳ ପୂଜାର ଶୁଭେଚ୍ଛା ଜଣାଇବାକୁ ଯାଇ ଏହି ହୋର୍ଡିଂ ଲଗାଯାଇଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ