
କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (ଆଂଚଳିକ କାର୍ଯ୍ୟାଳୟ,କେନ୍ଦୁଝର) ଏବଂ ଜିଲ୍ଲା ମିଶନ୍ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାର୍କ ଲେନସ୍ଥିତ ପୌରପାଳିକା ଅଡିଟୋରିୟମ୍ଠାରେ ‘ମେଗା କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ୍ ୨.୦’ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ନାୟକନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବାରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିଭଳି କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଦ୍ୱାରା ସିଧାସଳଖ ଗ୍ରାମାଂଚଳର ମହିଳା ଓ ଚାଷୀମାନେ ଉପକୃତ ହୋଇପାରିବେ।'
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ଯୋଗଦେଇ ମହିଳା ସଶକ୍ତିକରଣ ଓ ଆତ୍ମନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ମିଶନ୍ ଶକ୍ତି ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମନ୍ୱୟ ଦ୍ୱାରା ଜିଲ୍ଲାର ଜୀବିକା ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ ବୋଲି ପ୍ରକାଶ କରିଥିଲେ।
ଗ୍ରାମାଂଚଳରେ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ କୃଷକମାନଙ୍କୁ ସହଜ ଋଣ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶାଳ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି।
ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ମହିଳା ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି ପ୍ରୋତ୍ସାହନ ନିମନ୍ତେ ମୋଟ ୧୧୮.୫୦ କୋଟିର ଋଣ ସହାୟତା ମଞ୍ଜୁର କରାଯାଇଛି।
କୃଷି ଓ ଆନୁଷଙ୍ଗିକ କାର୍ଯ୍ୟପାଇଁ ୨୧୬ ଜଣ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଜରିଆରେ ଋଣ ସୁବିଧା ପ୍ରଦାନ କରାଯାଇଛି। ମିଶନ୍ ଶକ୍ତି ଅଧୀନରେ ୫୪୨ ଜଣ ‘ଲକ୍ଷପତି ଦିଦି’ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଇ ସେମାନଙ୍କ କ୍ଷୁଦ୍ର ଉଦ୍ୟୋଗର ବିକାଶ ଓ ଜୀବିକା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମୀଣ ଅର୍ଥନୀତିର ସମୃଦ୍ଧି ଏବଂ ସମାବେଶୀ ବିକାଶ ପାଇଁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଦାସର୍ବଦା ବଦ୍ଧପରିକର ବୋଲି ବ୍ୟାଙ୍କ କର୍ତୃପକ୍ଷ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କୃଷକ ଏବଂ ବ୍ୟାଙ୍କିଙ୍ଗ୍ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA