
- ଆସିବ ବଜ୍ରପାତ ସୁରକ୍ଷା ଏସଓପି
ଭୁବନେଶ୍ୱର , ୧୫ ଅକ୍ଟୋବର (ହି.ସ.) - ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଭୁବନେଶ୍ୱର ଠାରେ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଉଦଘାଟନ କରିଛନ୍ତି କ୍ଷ ଅକ୍ଟୋବର ୧୫ ଏବଂ ୧୬ ଦୁଇଦିନ ଧରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା)ଙ୍କ ପକ୍ଷରୁ ଏହି ଜାତୀୟ କର୍ମଶାଳା ଆୟୋଜିତ ହେଉଥିବା ବେଳେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଯୋଗଦେଇଛନ୍ତି ।
କର୍ମଶାଳାକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ପ୍ରଭାବ ଏବଂ କ୍ଷୟକ୍ଷତି ଦୃଷ୍ଟିରୁ ବଜ୍ରପାତ ଏକ ଗୁରୁତ୍ୱପୂର୍ଣ୍ଣ ବିପର୍ଯ୍ୟୟର ସ୍ୱରୁପ ହୋଇଥିବା ବେଳେ ଏହାର ମୁକାବିଲା ତଥା ବଜ୍ରପାତଜନିତ ମୃତ୍ୟୁ ଏବଂ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ନିରନ୍ତର ଉଦ୍ୟମ କରୁଛନ୍ତି । ଏହିପରି ଜାତୀୟ କର୍ମଶାଳାର ଆୟୋଜନ ହେବା ଦ୍ୱାରା ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଚାରବିମର୍ଶ, ଆଲୋଚନା ତଥା ମାନସମନ୍ଥନ ମାଧ୍ୟମରେ ବଜ୍ରପାତର ପ୍ରକୋପ ହ୍ରାସ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ। ପ୍ରକାରାନ୍ତରେ ବିପର୍ଯ୍ୟୟ ବିପଦ ହ୍ରାସ ଦିଗରେ ଓଡ଼ିଶାର ଦକ୍ଷତାକୁ ଏହା ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଲେ ଯେ, ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ର ନୂତନ ପ୍ରୟୋଗ ଏବଂ ପଂଚାୟତସ୍ତରୀୟ ନିଷ୍ପତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ, ନିରୀକ୍ଷଣ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଏହି କର୍ମଶାଳାରେ ଆଲୋଚନା କରାଯିବ। ଏହିପରି କର୍ମଶାଳା ମାଧ୍ୟମରେ ବଜ୍ରପାତ ପରି ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆମର ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ।
ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ କହିଲେ ଯେ, ବଜ୍ରପାତର ପୂର୍ବାନୁମାନ, ବିପଦ ଆକଳନ, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଦୁଇଦିନ ଧରି ଏହି କର୍ମଶାଳାରେ ବିଶେଷକରି କୃଷକ, କୃଷି ଶ୍ରମିକ, ବାହାରେ ଖୋଲା ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମଜୀବୀ, ଛାତ୍ରଛାତ୍ରୀ ଏବଂ ବିପଦପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ବୈଜ୍ଞାନିକ ଜ୍ଞାନ ଓ ଆଧୁନିକ ବୈଷୟିକ ପ୍ରଗତିକୁ କିପରି ବ୍ୟାବହାରିକ ପଦକ୍ଷେପରେ ପରିଣତ କରାଯାଇପାରିବ, ତାହା ଉପରେ ଆଲୋଚନା କରାଯିବ। ଓଡ଼ିଶା ପରି ବିପର୍ଯ୍ୟୟପ୍ରବଣ ରାଜ୍ୟରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଓସଡମାର ପ୍ରୟାସ ସର୍ବଦା ଅବ୍ୟାହତ ରହିଛି ।
ଏହି ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି ), ଭାରତୀୟ ଟ୍ରପିକାଲ୍ ମେଟିଓରୋଲୋଜି ପ୍ରତିଷ୍ଠାନ (ଆଇଆଇଟିଏମ୍), ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର , ଜାତୀୟ ଭୂବିଜ୍ଞାନ ଅଧ୍ୟୟନ କେନ୍ଦ୍ର , ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର , ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା, ଭୁବନେଶ୍ୱର (ଆଇଆଇଟି ଭୁବନେଶ୍ୱର), ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା, ପାଟନା (ଏନଆଇଟଟି ପାଟନା), କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ଭାଇରନ୍ମେଂଟ ଆଣ୍ଡ ୱାଟ,ର୍ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ୍ ଝାଡ଼ଖଣ୍ଡ, ସିଏସଆଇଆର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, କ୍ଲାଇମେଟ୍ ରେଜିଲିଏଂଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ୍ କାଉନ୍ସିଲ୍ (ସିଆରଓପିସି ) ଏବଂ କେପ୍ ଇଲେକ୍ଟ୍ରିକ୍ ର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ବଜ୍ରପାତର ପୂର୍ବାନୁମାନର ସଠିକତା ବୃଦ୍ଧି, ଆଗୁଆ ସତର୍କ ସୂଚନା ପ୍ରଦାନ ପାଇଁ ଉପଲବ୍ଧ ସମୟ ବୃଦ୍ଧି ଏବଂ ସ୍ଥାନୀୟ ସ୍ତରରେ ନିଷ୍ପତି ଗ୍ରହଣ ପାଇଁ ବୈଜ୍ଞାନିକ ତଥ୍ୟର ଉପଯୋଗ ଉପରେ କର୍ମଶାଳାର ବିଭିନ୍ନ ଅଧିବେଶନଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଏହି କର୍ମଶାଳାରେ ବିଶେଷଜ୍ଞ ଓ ସରକାରୀ ପ୍ରତିନିଧିମାନେ ଏକତ୍ରିତ ହୋଇ ବଜ୍ରପାତ ସୁରକ୍ଷା ପାଇଁ ଏକ ମାନକ ପରିଚାଳନା ପ୍ରକ୍ରିୟା (ଏସଓପି) ଖସଡ଼ା ଏବଂ ୨୦୨୭ ମସିହା ପାଇଁ ଏକ ପ୍ରସ୍ତାବିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଦିଗରେ ଆଲୋଚନା କରିବେ। ।
ଏହି କର୍ମଶାଳାରୁ ମୁଖ୍ୟ ଫଳାଫଳ ଭାବେ “ବଜ୍ରପାତ ସୁରକ୍ଷିତ ଓଡ଼ିଶା : ୨୦୨୭ କାର୍ଯ୍ୟଯୋଜନା ଏବଂ ୨୦୨୭–୨୦୩୦ ରୋଡ୍ମ୍ୟାପ୍” ପ୍ରସ୍ତୁତ ହେବ। ଏହି ପ୍ରସ୍ତାବିତ ରୋଡ୍?ମ୍ୟାପ୍?ରେ ବଜ୍ରପାତର ପୂର୍ବାନୁମାନ, ବିପଦପ୍ରବଣତା ହ୍ରାସ, ଜନସଚେତନତା, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଆଦି କ୍ଷେତ୍ରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସୁସ୍ପଷ୍ଟ ରୂପରେଖ ପ୍ରସ୍ତୁତ ହେବ।
ଉଦଘାଟନୀ ଅଧିବେଶନରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଓସଡମାର ଉପଦେଷ୍ଟା ଡ. କମଳ ଲୋଚନ ମିଶ୍ର ପ୍ରାରମ୍ଭିକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା