
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆଉ ୧୦ ଦିନ ପରେ ଆରମ୍ଭ ହେବାକୁ ଥିବାବେଳେ ଏବେ ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି। ପୂଜା କମିଟିର ଦୀର୍ଘଦିନର ଦାବିକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ବିଚାର କରୁନଥିବାରୁ ସମସ୍ତ ପୂଜା କମିଟିର ସଭାପତି ଓ ସଂପାଦକ ମାନେ ଆଜି ଏକ ଜରୁରୀ ବୈଠକରେ ଯୋଗ ଦେଇ ଆସନ୍ତା ୧୭ ତାରିଖ ଦିନ ୧୨ ଘଂଟିଆ ସହର ବନ୍ଦ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ଗଣପର୍ବ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୁର୍ତି ଉତ୍ସବ ପାଳନ କରାଯାଉଥିବା ଅବସରରେ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବ୍ୟବହାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦେବାକୁ ଗତ ଅଗଷ୍ଟ ମାସରୁ ପୂଜା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆ ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ସମ୍ବନ୍ଧରେ କୈାଣସି ନିଷ୍ପତି ଗ୍ରହଣ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦ ରେ ସମସ୍ତ ପୂଜା କମିଟିର ସଦସ୍ୟମାନେ ଆସନ୍ତା ୧୭ ତାରିଖ ଶନିବାର କେନ୍ଦ୍ରାପଡା ସହର ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। କେନ୍ଦ୍ରୀୟ ପୂଜା କମିଟିର ସଭସାପତି ଯୁଗଳ ବେହେରାଙ୍କ ନେତୃତ୍ୱରେ ଏହି ବୈଠକରେ ରାମଚନ୍ଦ୍ର ରାଉତରାୟ, ସୁବାସ ସାହୁ, ଅଶୋକ କୁମାର ଲେଙ୍କା, ନରେନ୍ଦ୍ର କୁମାର ସାହୁ, ଦୟାନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି