
ନଭେମ୍ବର ୭ ଯାଏଁ ଚାଲିବ ସର୍ଭେ , - ଫେବୃଆରୀ ୧୦ରେ ଚୂଡ଼ାନ୍ତ ତାଲିକା
ଭୁବନେଶ୍ୱର , ୧୫ ଅକ୍ଟୋବର (ହି.ସ.) - ରାଜ୍ୟରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ–୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏହି ପ୍ରକ୍ରିୟା ପରେ ଆସନ୍ତା ୨୦୨୭ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ତାଲିକା ସମ୍ପର୍କରେ ଦାବି ଓ ଆପତି ଦାଖଲ କରିବା ପାଇଁ ଭୋଟରମାନଙ୍କୁ ୨୦ ଦିନର ସମୟ ଦିଆଯିବ। ସମସ୍ତ ଦାବି ଓ ଆପତିର ଯାଂଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ଏହି ସର୍ଭେ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ,ଗୋଟିଏ ପରିବାରର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟଦାନ କେନ୍ଦ୍ରରେ ଭୋଟ ଦେବେ ଏବଂ ଗୋଟିଏ ଅଂଚଳର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟ କେନ୍ଦ୍ରରେ ଭୋଟ ଦେଇପାରିବେ ତାହା ଏହି ସର୍ଭେ ଦ୍ୱାରା ସମ୍ଭବ ହୋଇପାରିବ। ଏହି ସର୍ଭେ ଦ୍ୱାରା ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ସମାନ ୱାର୍ଡ ଓ ବୁଥ୍ ର ଭୋଟର ତାଲିକାରେ କ୍ରମାନୁସାରେ ରଖାଯିବ। ସବୁ ପରିବାର ପାଇଁ ଗୋଟିଏ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ ଏବଂ ଘରର ସମସ୍ତ ଭୋଟରଙ୍କୁ ସେହି ନମ୍ବର ସହ ଯୋଡ଼ାଯିବ।ଏ ସମ୍ପର୍କରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ସୂଚନା ପ୍ରଦାନ କରିଥିଲେ।
ଏହି ସର୍ଭେ ଓ ପରବର୍ତୀ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରାଯିବ। ସର୍ଭେ ପରେ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏହା ପ୍ରକାଶ ପାଇବା ପରେ ଭୋଟରମାନେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଂଚ କରିପାରିବେ। ତାଲିକାରେ କୌଣସି ତ୍ରୁଟି, ଅସଙ୍ଗତି କିମ୍ବା ନାମ ସମ୍ପର୍କିତ ସମସ୍ୟା ଥିଲେ ନିର୍ଦ୍ଧାରିତ ୨୦ ଦିନ ମଧ୍ୟରେ ଦାବି ଓ ଆପତି ଦାଖଲ କରିବାର ସୁଯୋଗ ମିଳିବ। ଭୋଟର ତାଲିକାରେ ନାମ ଯୋଡ଼ିବା, ତଥ୍ୟ ସଂଶୋଧନ କରିବା କିମ୍ବା ଅଯୋଗ୍ୟ ନାମ ବାଦ୍ ଦେବା ପାଇଁ ଗ୍ରାମାଂଚଳ, ସହରାଂଚଳ ଓ ମହାନଗର ନିଗମ ଅଂଚଳ ନିମନ୍ତେ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ ଓ
ନାମ ଯୋଡ଼ିବା ବା ସଂଶୋଧନ ପାଇଁ ଗ୍ରାମାଂଚଳରେ ଦାବି ଫର୍ମ-୧୬, ସହରାଂଚଳରେ ଫର୍ମ -୩ ଏବଂ ମହାନଗର ନିଗମ ଅଂଚଳରେ ଫର୍ମ-୭ ମାଧ୍ୟମରେ ଆବେଦନ କରିପାରିବେ।ସେହିପରି,ନାମ ବାଦ୍ ଦେବା ପାଇଁ ଗ୍ରାମାଂଚଳରେ ଆପତି ଫର୍ମ-୧୭, ସହରାଂଚଳରେ ଫର୍ମ-୪ ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-୮ ମାଧ୍ୟମରେ ଆବେଦନ ଦାଖଲ କରିପାରିବେ।
ଚିଠା ଭୋଟର ତାଲିକା ପ୍ରକାଶ ପରେ ଦାଖଲ ହେଇଥିବା ଦାବି ଓ ଆପତିଗୁଡ଼ିକର ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ /ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ସ୍ତରରେ ଯାଂଚ କରାଯାଇ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହାଦ୍ୱାରା ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ସମ୍ଭବ ହେବ।
ସର୍ଭେ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ବିଭିନ୍ନ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ଅଙ୍ଗନୱାଡ଼ି କର୍ମୀ , ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶାକର୍ମୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ।
ଏହି ପ୍ରକ୍ରିୟାର ସଠିକ୍ କାର୍ଯ୍ୟାନ୍ୱୟନ ଓ ନିୟମିତ ତଦାରଖ ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ), ବୁଥ୍ ସ୍ତରୀୟ ଅଧିକାରୀ ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଦାୟିତ୍ୱ ନିର୍ବାହ କରିବେ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ସମଗ୍ର ପ୍ରକ୍ରିୟାକୁ ସମାପ୍ତ କରି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବା ନେଇ ସୂଚନା ଦିଆଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗ ର ସଚିବ ସନ୍ତୋଷ କୁମାର ଦାଶ, ଉପ ସଚିବ ଦୁର୍ଗା ଚରଣ ମୁର୍ମୁ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା