
ଜୟପୁର, ୧୫ ଅକ୍ଟୋବର(ହି.ସ.) – ସ୍ୱଚ୍ଛତା ପକ୍ଷ ପାଳନର ଅଂଶସ୍ୱରୂପ, ପୂର୍ବତଟ ରେଳପଥ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ଏହାର ପରିସୀମା ମଧ୍ୟରେ ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ , ୨୦୨୬ ସମ୍ପର୍କରେ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱଚ୍ଛତାର ପ୍ରସାର, ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶର ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା।
ଏହି କାର୍ଯ୍ୟକ୍ରମ ଅବସରରେ ସଫେଇ କର୍ମଚାରୀମାନଙ୍କୁ (ସଫାଇ ମିତ୍ର) ନିୟମାବଳୀ, ୨୦୨୬ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବୁଝାଇବା ସହ ସଚେତନ କରାଯାଇଥିଲା। ବିଶେଷକରି ଉତ୍ସସ୍ଥଳରେ ଘନ ବର୍ଜ୍ୟବସ୍ତୁକୁ ଚାରୋଟି ବର୍ଗରେ ପୃଥକୀକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବର୍ଗଗୁଡ଼ିକ ହେଉଛି ଓଦା ବର୍ଜ୍ୟବସ୍ତୁ, ଶୁଖିଲା ବର୍ଜ୍ୟବସ୍ତୁ, ସାନିଟାରୀ ବର୍ଜ୍ୟବସ୍ତୁ ଏବଂ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ବର୍ଜ୍ୟବସ୍ତୁ। ନିର୍ଦ୍ଧାରିତ ନିୟମ ଅନୁଯାୟୀ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ସଂଗ୍ରହ ଓ ବୈଜ୍ଞାନିକ ନିଷ୍କାସନ ସୁନିଶ୍ଚିତ କରି ଏକ ସ୍ୱଚ୍ଛ ଓ ସୁସ୍ଥ ରେଳ ପରିବେଶ ଗଠନରେ ସହଯୋଗ କରିବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।
ଏହି ସଚେତନତା ଅଭିଯାନର ଅଂଶସ୍ୱରୂପ ରାୟଗଡ଼ା ରେଳ ମଣ୍ଡଳର ବିଭିନ୍ନ ସ୍ଥାନରେ ରେଳ ଜନ ସମ୍ବାଦ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ରେଳ ଷ୍ଟେସନ ତଥା ଅନ୍ୟାନ୍ୟ ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା, ଉତ୍ସସ୍ଥଳରେ ବର୍ଜ୍ୟବସ୍ତୁ ପୃଥକୀକରଣ କରିବା, ଏଣେତେଣେ ଆବର୍ଜନା ନ ପକାଇବା ଏବଂ ଉପଯୁକ୍ତ ପଦ୍ଧତିରେ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ପଦକ୍ଷେପ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ରେଳ ପରିସର ଗଠନରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ୧ ଏପ୍ରିଲ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ, ୨୦୨୬ରେ ଉତ୍ସସ୍ଥଳରେ ବର୍ଜ୍ୟବସ୍ତୁର ପୃଥକୀକରଣ, ସମ୍ପଦର ପୁନରୁଦ୍ଧାର ଏବଂ ପରିବେଶ ଅନୁକୂଳ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା ଓ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି।
ରାୟଗଡ଼ା ରେଳ ମଣ୍ଡଳ ସ୍ୱଚ୍ଛତା ପକ୍ଷର ଉଦ୍ଦେଶ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ସହ ରେଳ କର୍ମଚାରୀ, ସଫାଇ ମିତ୍ର, ଯାତ୍ରୀ ଓ ସାଧାରଣ ଜନତାଙ୍କୁ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରେଳ ବ୍ୟବସ୍ଥା ଗଠନ ଦିଗରେ ସମୂହ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି