
ଶାନ୍ତିଶୃଙ୍ଖଳାର ସହ ମତଦାନ ଓ ଫଳାଫଳ ଘୋଷଣା ଶେଷ
ଉପସଭାପତି ଭାବେ ବିଶ୍ୱରଞ୍ଜନ ବେନିଆ ଏବଂ ସାଧାରଣ ସମ୍ପାଦକ ଭାବେ ଶ୍ରୀକାନ୍ତ ଚୌଧୁରୀ ବିଜୟୀ
ଜୟପୁର, ୧୫ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲାର ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଛାତ୍ର ସଂସଦ ଓ ବିଭିନ୍ନ ଆସୋସିଏସନ ପଦବୀ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ବର୍ଷ ପରେ ଆୟୋଜିତ ଏହି ନିର୍ବାଚନରେ ଛାତ୍ରଛାତ୍ରୀମାନେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ସଫଳତାର ସହ ପ୍ରତିନିଧି ବାଛିଛନ୍ତି।
ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକ୍ରିୟା ପୂରଣ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ୪ଟି ବ୍ଲକରେ ମୋଟ ୨୨ଟି ବୁଥ୍ ଜରିଆରେ ମତଦାନ ଗ୍ରହଣ କରାଯାଇଥିଲା। ମୋଟ ୨୧୫୦ ଜଣ ଛାତ୍ରଛାତ୍ରୀ ମତଦାନ କରିଥିବା ବେଳେ ୩୫ଟି ଭୋଟ୍ ନାକଚ ହୋଇଥିଲା ଏବଂ ୨୧୧୫ଟି ଭୋଟ୍ କୁ ବୈଧ ଭାବେ ଗ୍ରହଣ କରାଯାଇଥିଲା। ସମୁଦାୟ ୧୪ଟି ପଦବୀ ମଧ୍ୟରୁ ବୟେଜ୍ କମନ ରୁମ ପାଇଁ ପ୍ରାର୍ଥୀପତ୍ର ନାକଚ ଏବଂ ଡେ-ସ୍କଲାର ଆସିଷ୍ଟାଣ୍ଟ ସେକ୍ରେଟାରୀ ପାଇଁ ନାମାଙ୍କନ ନ ଆସିବାରୁ ୧୨ଟି ପଦବୀ ବୈଧ ରହିଥିଲା। ସେଥିମଧ୍ୟରୁ ୬ଟି ପଦବୀରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବାକି ୬ଟି ପଦବୀ ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।
ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ନିର୍ବାଚନକୁ ନେଇ ଅଶାନ୍ତି ଦେଖାଦେଇଥିବା ବେଳେ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ମତଦାନ ହେବା ଏକ ଉଦାହରଣ ସୃଷ୍ଟି କରିଛି ବୋଲି କୁଳପତି ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି, ରେଜିଷ୍ଟ୍ରାର ତଥା ନିର୍ବାଚନ ଅଧିକାରୀ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଡେପୁଟି ଇଲେକ୍ସନ ଅଫିସର ଫ୍ରାନ୍ସିସ ବାର୍ଲା, ଟାବୁଲେସନ କମିଟି ନୋଡାଲ ଅଫିସର ରଞ୍ଜନ କୁମାର ପ୍ରଧାନ, ଅବଜରଭର ମହେଶ୍ୱର ଧୁରିଆ, ଡାକ୍ତର ଶୁଭମଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ପୋଲିସ ପ୍ରଶାସନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି। ଶେଷରେ ଛାତ୍ର ସଂସଦର ସହଯୋଗରେ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ଆଗକୁ ବଢ଼ିବ ବୋଲି କର୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି