
କେନ୍ଦୁଝର, 16 ଅକ୍ଟୋବର (ହି.ସ.)
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ସଫଳତାର ସହ ପାଳିତ ହୋଇଯାଇଛି। ଗତ ୯ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ଏହି ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ ବାର୍ତ୍ତା ଭିତ୍ତିକ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କ ଦ୍ୱାରା ପ୍ରସ୍ତୁତ ପୌଷ୍ଟିକ ଓ ସ୍ୱାସ୍ଥ୍ୟକର ବ୍ୟଞ୍ଜନର ଏକ ସୁନ୍ଦର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।
ଏହି ପ୍ରଦର୍ଶନୀରେ ମାଣ୍ଡିଆ, ସୁଜୀ, ଦେଶୀ ଚାଉଳ ଓ ବିରିରୁ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଇଥିଲା। ଏହା ସହିତ ଦେଶୀ ପନିପରିବା, ଶାଗ, ଅଣ୍ଡାରେ ଥିବା ଗୁଣକାରୀ ପୋଷକତ୍ତ୍ୱ ଏବଂ ମା’ ଓ ଶିଶୁଙ୍କ ପାଇଁ ପୋଷଣ ଖାଦ୍ୟର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ ଏବଂ କେନ୍ଦୁଝର ଉପ-ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ ଯୋଗଦେଇ ମା' ଓ ଶିଶୁଙ୍କ ମଧ୍ୟରେ ସୁଷମ ଖାଦ୍ୟର ଆବଶ୍ୟକତା ଏବଂ କୁପୋଷଣ ଦୂରୀକରଣରେ ସ୍ୱୟଂ ସହାୟକ ଗୋଷ୍ଠୀ ମା'ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଭାନୁମତୀ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, କେନ୍ଦୁଝର ସଦର ପିଓ ଶ୍ରୀମତୀ ଚୂଲେଶ୍ୱରୀ ପଟେଲ, ଅତିରିକ୍ତ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସୁଧା ଗୋସ୍ୱାମୀ, ଜିଲ୍ଲା ସଂଯୋଜକ (ପୋଷଣ) ଶ୍ରୀ ଅଜିତ କୁମାର ମହାନ୍ତି, ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA