
ଘଟଗାଁ,୧୬ ଅକ୍ଟୋବର (ହି.ସ.)
ଭୋଟର ତାଲିକା ସଂଶୋଧନ ପାଇଁ ଘଟଗାଁରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ନିମନ୍ତେ ଘଟଗାଁ ବ୍ଲକରେ ଘରକୁ ଘର ସର୍ଭେ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଘଟଗାଁ ବ୍ଲକର ୨୭ଟି ଗ୍ରାମପଞ୍ଚାୟତର ୩୦୮ଟି ବୁଥ୍ ଅଞ୍ଚଳରେ ସର୍ଭେ କରିବା ପାଇଁ ୧୩୯ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଛନ୍ତି। ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଏଲ୍ଓ ସୁପରଭାଇଜର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ସର୍ଭେ ସମୟରେ ଘରକୁ ଘର ଯାଇ ଭୋଟର ତାଲିକା ଯାଞ୍ଚ କରାଯିବ। ୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଯୋଗ୍ୟ ନୂତନ ମତଦାତାଙ୍କ ନାମ ଯୋଡ଼ିବା ସହ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ଯଥାକ୍ରମେ ଫର୍ମ ୧୬ ଓ ୧୭ ବ୍ୟବହାର କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଡିଓ ଖଗେଶ୍ୱର ବରାଳ, ଏବିଡିଓ ଚିତ୍ତରଞ୍ଜନ ନାୟକ ଓ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାଗବତ ସାହୁ ଯୋଗଦେଇ ସର୍ଭେ ଟିମ୍ର ସଦସ୍ୟମାନଙ୍କୁ ତାଲିମ ଦେଇଥିଲେ। ଫର୍ମ ପୂରଣର ବିଭିନ୍ନ ପର୍ଯ୍ୟାୟ ଓ ସର୍ଭେ ପ୍ରକ୍ରିୟା ସମ୍ପର୍କରେ ସେମାନେ ବିସ୍ତୃତ ଭାବେ ବୁଝାଇଥିଲେ। ବରିଷ୍ଠ ନିର୍ବାହୀ ଅଧିକାରୀ ସାରଙ୍ଗଧର ରଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆନୁଷଙ୍ଗିକ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ