
ଝାରସୁଗୁଡ଼ା, 16 ଅକ୍ଟୋବର (ହି.ସ.)
କତରବଗା ମୌଜାର ୨୩ ହିତାଧିକାରୀଙ୍କୁ ଜମି ପଟ୍ଟା (RoR) ବଣ୍ଟନ
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟଗୁଡ଼ିକ ନାମରେ ୨୧ଟି ଜମି ପଟ୍ଟା ହସ୍ତାନ୍ତର
ସାଧାରଣଲୋକ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମି ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗ ପ୍ରତିବଦ୍ଧ - ରାଜସ୍ୱ ମନ୍ତ୍ରୀ
ଝାରସୁଗୁଡ଼ା ଜିଲ୍ଲାରେ ଭିତ୍ତିଭୂମିର ବିକାଶ, ଜନସାଧାରଣଙ୍କୁ ଉନ୍ନତ ପରିବହନ ସୁବିଧା ପ୍ରଦାନ ଏବଂ ଜମି ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ମୂଳକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି l
ଝାରସୁଗୁଡ଼ା ଗସ୍ତ ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଲଖନପୁର ବ୍ଲକ୍ର ରେମଣ୍ଡା ଉଚ୍ଚ ବିଦ୍ୟାଳୟ, ରେମଣ୍ଡାଠାରେ ଆୟୋଜିତ ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସହପାଠ୍ୟ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ମଞ୍ଚ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ l
ଏହାପରେ କତରବଗା ମୌଜାର ୨୩ ଜଣ ବସ୍ତି ହିତାଧିକାରୀଙ୍କୁ ଜମି ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ସ (RoR) ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ହିତାଧିକାରୀମାନଙ୍କ ଜମି ଅଧିକାରକୁ ଆଇନଗତ ସ୍ୱୀକୃତି ଦେବା ସହ ସେମାନଙ୍କ ନିମନ୍ତେ ଜମି ସମ୍ବନ୍ଧୀୟ ଅଧିକାର ସୁନିଶ୍ଚିତ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ l
ସେହିପରି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ବନ୍ଧୀୟ ୨୧ଟି ବିଦ୍ୟାଳୟର ଜମି ପଟ୍ଟା (RoR) ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମ୍ବନ୍ଧୀୟ ରେକର୍ଡକୁ ସୁବ୍ୟବସ୍ଥିତ କରିବା ଏବଂ ସମ୍ପତ୍ତିର ଅଧିକାରକୁ ସ୍ପଷ୍ଟ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଥିଲେ ।ଏହି ଗସ୍ତ ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ରାଜପୁରଠାରେ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ଯ ଉଦଘାଟିତ ହୋଇଯାଇଛି ।ରାଜ୍ୟ ସରକାର ଜନସାଧାରଣଙ୍କୁ ଉନ୍ନତ ଭିତ୍ତିଭୂମି, ସୁଗମ ପରିବହନ ସୁବିଧା, ସ୍ୱାସ୍ଥ୍ୟ ସେବା ଏବଂ ସରକାରୀ ଜମି ରେକର୍ଡରେ ସ୍ୱଚ୍ଛତା ଓ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ପ୍ରତିବଦ୍ଧ। ଝାରସୁଗୁଡ଼ା ଜିଲ୍ଲାରେ ଆଜିର ଏହି କାର୍ଯ୍ୟକ୍ରମଗୁଡ଼ିକ ଜନକଲ୍ୟାଣ ଓ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ