
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ବିଭିନ୍ନ ଠିକାଦାରଙ୍କଠାରୁ ଲାଂଚ ଆଦାୟ କରାଯାଉଥିବା ନେଇ ମିଳିଥିବା ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରେ ଚଢ଼ାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ମହାନଦୀ ଉତର ଡିଭିଜନ, ଜଗତପୁର, କଟକର ସୁପରିେଂଟଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ନିକଟରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଅଘୋଷିତ ନଗଦ ଜବତ କରାଯାଇଛି।
ସୂଚନା ଅନୁସାରେ, ଶ୍ରୀ ଦାସ ଏକ ସରକାରୀ ଭାବେ ନିଯୁକ୍ତ ବୋଲେରୋ ଗାଡ଼ିରେ ଯାଉଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ତାଙ୍କ ନିକଟରୁ ହିସାବ ଦେଇପାରିନଥିବା ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ନଗଦ ମିଳିଥିଲା।
ଏହାପରେ ଆଜି ସକାଳେ ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଂଟ ଗାଲାକ୍ସିର ଫ୍ଲାଟ୍ ନମ୍ବର ଡି-୪୦୧ରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ ସ୍ଥିତ ପୈତୃକ ଘରେ ଏକକାଳୀନ ତଲାସି କରାଯାଇଥିଲା। ଭଡ଼ା ଘରର ତଲାସି ସମୟରେ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ ହୋଇଛି।
ଏତେ ବଡ଼ ପରିମାଣର ନଗଦ ଟଙ୍କାର ସନ୍ତୋଷଜନକ ହିସାବ ଶ୍ରୀ ଦାସ ଦେଇପାରିନଥିବାରୁ ଭିଜିଲାନ୍ସ ବିଭାଗ ଟଙ୍କାଗୁଡ଼ିକୁ ଜବତ କରିଛି। ଅଧିକ ତଦନ୍ତ ପାଇଁ ତାଙ୍କୁ ଅଟକ ରଖାଯାଇଛି। ଜବତ ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୧୬ ଅକ୍ଟୋବର ୨୦୨୬ ତାରିଖରେ କେସ୍ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ସଂଶୋଧିତ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୧)(ବି) ଅନୁଯାୟୀ ମାମଲାର ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା