
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ସହରାଂଚଳସ୍ଥିତ ସଂଗତ ଠାରେ ବହୁକାଳରୁ ବଙ୍ଗୀୟ ପଦ୍ଧତିରେ ମା’ ଆଦିମାତା ଦୁର୍ଗାଙ୍କ ପୂଜା ଉପାସନା ଆରମ୍ଭ କରାଯାଇଆସୁଅଛି। ମୋଗଲ ସାମ୍ରାଜ୍ୟ ସମୟରୁ ଏହି ପୂଜା ଆରମ୍ଭ ହେଉଥିବା କଥା ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଦ୍ୱାରା ଲିଖିତ ମୋଗଲ ତାମସାରେ ଉଲ୍ଲେଖ ରହିଛି। ବହୁବର୍ଷ ପରେ କେତେକ ବଙ୍ଗୀୟ ପରିବାର ଏହି ସଙ୍ଗତ ଅଂଚଳରେ ବସବାସ କରୁଥିଲେ। ବଙ୍ଗୀୟମାନେ ମୁଖ୍ୟତଃ ଦେବୀ ପୂଜାର ଉପାସକ ଥିବାରୁ ସଙ୍ଗତ ଅଂଚଳର ପ୍ରଥମ କରି ଆଦିମାତାଙ୍କର ମୃଣ୍ମୟ ମୂର୍ତି ତିଆରି କରି ଏକ ଚାଳଘରେ ପୂଜା ଆରାଧନା କରିଆସୁଥିଲେ। ପଶ୍ଚିମବଙ୍ଗର ପୂଜା ପଦ୍ଧତି ଅନୁସାରେ ବାହ୍ୟ ଆଡମ୍ବର ଅପେକ୍ଷା ମା’ଙ୍କ ମୌଳିକ ପୂଜାକୁ ଗୁରୁତ୍ୱ ଦେଉଥିଲେ। ଫଳରେ ମେଢ ସଜାଇବା, ଆଲୋକ ସଜା, ଆଧୁନିକ ବାଦ୍ୟଯନ୍ତ୍ରର ବ୍ୟବହାର ପରିବର୍ତେ ପାରମ୍ପରିକ ଉତ୍କଳିକ ବାଦ୍ୟ ଯନ୍ତ୍ର ଗୁଡିକ ପୂଜାଦିନରେ ବ୍ୟବହାର କରାଯାଏ। ମା’ଙ୍କ କେବଳ ମୃଣ୍ମୟ ମୂର୍ତି ନୁହଁନ୍ତି, ବରଂ ଯେଉଁ ମାଟି ପିଣ୍ଡି ଉପରେ ସ୍ଥାନିତ କରାଯାଏ, ସେଥିରୁ ବଙ୍ଗୀୟ ପୂଜା ପଦ୍ଧତିର ଆଭାସ ମିଳେ। ମାଟି ପିଣ୍ଡି ଉପରେ ମା’ଙ୍କୁ ପ୍ରତିଷ୍ଠା କରାଯାଇ ସମସ୍ତ ପୂଜା ବିଧି ରୀତିନୀତି ଅନୁସାରେ ପାଳନ କରାଯାଏ। ଏହି ପୂଜାରେ ବାହ୍ୟ ପ୍ରଦର୍ଶନ ଅପେକ୍ଷା ନୈଷ୍ଠିକତାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶୁଣିବାକୁ ମିଳେ ସେତେବେଳେ ଅବିଭକ୍ତ ବାଲେଶ୍ୱର ଜିଲାରେ ଯେଉଁଠାରେ ଆଦିମାତାଙ୍କ ପୂଜା ହୁଏ, ଭଦ୍ରକର ସଙ୍ଗତରୁ ମାଟି ସଂଗ୍ରହ କରାଯାଇ ମୂର୍ତି ନିର୍ମାଣ କରାଯାଉଥିଲା। ବଙ୍ଗୀୟ ପରିବାର ପରବର୍ତୀ ସମୟରେ ଏଠାରେ ଚାଲିଯିବା ପରେ ସ୍ଥାନୀୟ ମିଶ୍ର ପରିବାରକୁ ଏହି ଦାୟିତ୍ୱ ଓହ ମା’ଙ୍କ ନାମରେ ଥିବା ସମସ୍ତ ଜମିବାଡି ଆଦି ହସ୍ତାନ୍ତର କରିଥିଲେ। ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ସେହି ମିଶ୍ର ପରିବାର ଏହାକୁ ପିଢି ପରେ ପିଢି ନୂତନ ପକ୍କାଘରେ ପାଳନ କରିଆସୁଛନ୍ତି। ଏବେ ମିଶ୍ର ପରିବାରର ଶରତ ଚନ୍ଦ୍ର ମିଶ୍ର ଓ ମୋତିଲାଲ ମିଶ୍ର ପରିବାରଙ୍କ ସହ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମା’ଙ୍କ ପୂଜା ଚାଲୁଛି। ସେଠାରେ ସପ୍ତମୀ ପୂଜା ଠାରୁ ଦଶମୀ ପୂଜା ପର୍ଯ୍ୟନ୍ତ ରାତିରେ ମା’ଙ୍କ ଠାରେ ଅନ୍ନ ଭୋଗ ଲାଗି କରାଯାଏ। ଏହି ପ୍ରସାଦ ପ୍ରସ୍ତୁତି ବେଳେ ବାହାର ପନିପରିବା କୌଣସି ତେଲ ମସଲା ବ୍ୟବସହାର କରାଯାଏନାହିଁ। ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ସପ୍ତମୀ, ଅଷ୍ଟମୀ ଓ ନବମୀରେ କଖାରୁ ବଳି ପଡେ। ମା’ ଆଦିମାତାଙ୍କ ଖ୍ୟାତି ଆଖପାଖ ଅଂଚଳରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ବିଶେଷକରି ମାନସିକଧାରୀମାନେ ସେମାନଙ୍କର ମାନସିକ ପୂରଣ ପାଇଁ ମା’ଙ୍କ ବ୍ରତ ରଖି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି। ନବମୀରେ ପୂର୍ଣ୍ଣାହୁତି ହୁଏ। ଅଷ୍ଟମୀ ଓ ନବମୀ ସନ୍ଧି ପୂଜା ଦିନ ଶ୍ରଦ୍ଧାଳୁ ମାନେ ବିଭିନ୍ନ ପ୍ରକାର ଭୋଗ ଧରି ମା’ଙ୍କ ଦର୍ଶନ କରି ନିଜର ମନସ୍କାମନା ପୂରଣ କରିଥାନ୍ତି। ମା’ଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ଦୀନବନ୍ଧୁ ମିଶ୍ରଙ୍କ ନିକଟରେ ଥିବା ତାଳପତ୍ର ପୋଥି ଅଣାଯାଇ ପୋଥି ଅନୁସାରେ ମା’ଙ୍କ ନୀତିକାନ୍ତି ସଂପନ୍ନ କରାଯାଏ। ମା’ଙ୍କ ଅପରାଜିତା ପୂଜା କରାଯାଇ ମେଢ ପାରମ୍ପରିକ ବାଦ୍ୟ, ନଗର ସଂକୀର୍ତନ ସହ ପୁରୁଣାବଜାର ଯାଇ ଆଶ୍ରମ ଘାଟରେ ବିସର୍ଜନ କରାଯାଇଥାଏ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ