
ଝାରସୁଗୁଡ଼ା, ୧୮ ଅକ୍ଟୋବର (ହି.ସ.)- ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପାରମ୍ପରିକ ଗଣପର୍ବ ଭାଇ ଜିଉଁନ୍ତିଆ ରବିବାର ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ଭାଇର ଦୀର୍ଘାୟୁ, ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରି ଭଉଣୀମାନେ ନିର୍ଜଳା ଉପବାସ ରଖି ବିଭିନ୍ନ ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ପର୍ବକୁ ନେଇ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଝାରସୁଗୁଡ଼ା ସହର ସମେତ ଲଖନପୁର, ବେଲପାହାଡ଼, ବ୍ରଜରାଜନଗର, ଲଇକେରା, କିର୍ମିରା ଓ କୋଲାବିରା ଅଞ୍ଚଳରେ ଏହି ପର୍ବକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ପର୍ବ ପୂର୍ବରୁ ସ୍ଥାନୀୟ ବଜାରଗୁଡ଼ିକରେ ନୂତନ ବସ୍ତ୍ର, ଶାଢ଼ୀ, ଫଳମୂଳ, ଦୁବ, ଅକ୍ଷତ, ଅପାମାର୍ଗ କାଠି, କାକୁଡ଼ି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ବିଶେଷ କରି ବିବାହିତ ଭଉଣୀମାନେ ବାପଘରକୁ ଆସି ଭାଇ ଓ ପରିବାର ସହ ଏହି ପର୍ବ ପାଳନ କରିବା ଫଳରେ ପରିବାରଗୁଡ଼ିକ ଆନନ୍ଦ ଓ ଉଲ୍ଲାସରେ ଭରିଯାଇଥିଲା।
ପରମ୍ପରା ଅନୁଯାୟୀ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ମହାଷ୍ଟମୀ ତିଥିରେ ବ୍ରତଧାରୀ ଭଉଣୀମାନେ ଦିନସାରା ନିର୍ଜଳା ଉପବାସ ପାଳନ କରିଥିଲେ। ସନ୍ଧ୍ୟାରେ ପୋଖରୀ, ନଦୀ ଓ ଅନ୍ୟାନ୍ୟ ପବିତ୍ର ଜଳାଶୟରେ ସ୍ନାନ କରି ବାଲୁକା ଲିଙ୍ଗ ସ୍ଥାପନ କରିବା ସହ ଦୁବ, ଅକ୍ଷତ, ଚାଉଳ, ହଳଦୀ, ଅପାମାର୍ଗ କାଠି, କାକୁଡ଼ି, ଫଳ ଓ ଫୁଲ ଆଦି ଅର୍ପଣ କରି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଜିଉଁନ୍ତିଆ ବ୍ରତକଥା ଓ ଭ୍ରାତୃପ୍ରେମ ସମ୍ପର୍କିତ ପୌରାଣିକ କଥା ଶ୍ରବଣ କରିଥିଲେ। ସହରର ବିଭିନ୍ନ ଦେବାଳୟ ଓ ପୂଜାମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ବ୍ରତର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାତରେ ସ୍ନାନ ଓ ପୂଜାବିଧି ସମ୍ପନ୍ନ କରିବା ପରେ ବ୍ରତଧାରୀମାନେ କ୍ଷୀର, ଦହି, ମୁଗ ଓ ଚାଉଳ ମିଶ୍ରିତ ପବିତ୍ର ଜିଉଁନ୍ତିଆ ଗ୍ରହଣ କରି ପାରଣା କରିବେ। ଏହାପରେ ଭଉଣୀମାନେ ଭାଇଙ୍କ ମୁଣ୍ଡରେ ଜିଉଁନ୍ତିଆ ଓ ଦୁବ ଛୁଆଁଇ ତାଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରିବେ। ଅନ୍ୟପକ୍ଷରେ ଭାଇମାନେ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ପ୍ରତୀକ ସ୍ୱରୂପ ଉପହାର ପ୍ରଦାନ କରିବାର ପରମ୍ପରା ରହିଛି।
ଆଧୁନିକତାର ପ୍ରଭାବ ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଏହି ପାରମ୍ପରିକ ପର୍ବ ଆଜି ମଧ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥପର ପ୍ରେମ, ଆତ୍ମୀୟତା ଓ ପାରିବାରିକ ବନ୍ଧନକୁ ସୁଦୃଢ଼ କରୁଥିବା ଏହି ପର୍ବ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ