

ସୁବର୍ଣପୁର, 18 ଅକ୍ଟୋବର (ହି.ସ.)
ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଭାଇ ଜିଉଁତିଆ । ଦୁର୍ଗାପୂଜା ସମୟରେ ଆଶ୍ୱିନ ଶୁକ୍ଳ ଅଷ୍ଟମୀ (ମହାଷ୍ଟମୀ) ଦିନ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀମାନେ ନିଜ ଭାଇର ଦୀର୍ଘାୟୁ, ସୁଖ ଓ ସମୃଦ୍ଧି ପାଇଁ ନିର୍ଜଳା ଉପବାସ କରନ୍ତି। ଭାଇ ମାନେ ଭାଇ ଓ ଜିଉଁତିଆ ମାନେ ରକ୍ଷା ସୂତା । ଭଉଣୀ ଭାଇ ହାତରେ ଏହି ପବିତ୍ର ସୂତା ବାନ୍ଧି ରକ୍ଷା କାମନା କରେ। ଏହା ପଶ୍ଚିମ ଓଡ଼ିଶାର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ଭଳି ଏଠାରେ ଭଉଣୀ ହିଁ ବ୍ରତ ରଖେ,ଭାଇ ନୁହେଁ । ବିବାହିତ ଭଉଣୀମାନେ ଭାଇର ନିମନ୍ତ୍ରଣରେ ବାପ ଘରକୁ ଆସି ଏହି ଓଷା ପାଳନ କରନ୍ତି । ଏହା ଦ୍ୱାରା ଭାଇ-ଭଉଣୀ ସମ୍ପର୍କ ଆହୁରି ମଜବୁତ ହୁଏ । ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ କରନ୍ତି ।
ସନ୍ଧ୍ୟାରେ ଖୋଲା ପଡିଆ ବା ଦୁର୍ଗା ମଣ୍ଡପରେ ଏକାଠି ହୋଇ ମା' ଦୁର୍ଗାଙ୍କୁ ପୂଜା କରନ୍ତି । ଆମ୍ବତୋରଣ,ଫୁଲ,ଦୀପରେ ମଣ୍ଡପ ସଜାଯାଏ ।ପ୍ରତି ଭାଇ ପାଇଁ ୧୦୮ ଦୁବ ଘାସ ଓ ୧୦୮ ଅରୁଆ ଚାଉଳକୁ ଶାଳ ପତ୍ରରେ ବିଡା କରି ରଙ୍ଗୀନ ଜିଉଁତିଆ ସୂତାରେ ବାନ୍ଧି ଦେବୀଙ୍କ ପାଖରେ ପୂଜା କରନ୍ତି।ପରଦିନ ମହାନବମୀ ଭୋରରୁ ନଦୀ ବା ପୋଖରୀରେ ସ୍ନାନ କରି,ସେହି ଦୁବ ବିଡାକୁ ଭାଇର ମୁଣ୍ଡରୁ ପାଦ ଯାଏଁ ୭ ଥର ଛୁଆଁଇ ମଙ୍ଗଳ କାମନା କରନ୍ତି ଓ ହାତରେ ଜିଉଁତିଆ ବାନ୍ଧନ୍ତି।ଭାଇ ଭଉଣୀକୁ ଉପହାର ଓ ମିଠା ଦିଏ ଓ ଭଉଣୀ ଉପବାସ ଭାଙ୍ଗେ। ଏହି ପର୍ବ ଚଳିତ ମାସ ୧୮/୧୯ ତାରିଖ ପଡୁଥିବାରୁ ପଡୁଥିବାରୁ ଭଉଣୀ ବାପ ଘର ଅର୍ଥାତ ନିଜ ଭାଇ ପାଖକୁ ଯିବା ପାଇଁ ମନରେ ଚଞ୍ଚକତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁ ଠୁଁ ସହର ଯାଏ ବିନିକା ଅଞ୍ଚଳର ଘରେ ଘରେ ଭାଇ ଭଉଣୀର ନିବିଡ ସମ୍ପର୍କ ଭାଇ ଯୁଇନ୍ତିଆ ପର୍ବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ