
ଚମ୍ପୁଆ, ଅକ୍ଟୋବର (ହି.ସ.) :ଚମ୍ପୁଆ, ବନଖଣ୍ଡ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ଥିବା ଏକ ହାତୀପଲରେ ଏକ ନୂଆ ଅତିଥିର ଆଗମନ ଘଟିଛି। ରବିବାର ଭୋର୍ ପ୍ରାୟ ୩ଟା ସମୟରେ ଚନ୍ଦ୍ରଶେଖରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆଶୂଳା ଗ୍ରାମର ନାଳ ନିକଟସ୍ଥ ଏକ ବିଲରେ ଏକ ମାଈ ହାତୀ ଶିଶୁ ହାତୀଟିକୁ ଜନ୍ମ ଦେଇଛି। ପୂର୍ବରୁ ଏହି ହାତୀପଲରେ ୨୮ଟି ହାତୀ ରହିଥିବା ବେଳେ, ବର୍ତ୍ତମାନ ନବଜାତ ଶିଶୁଟିକୁ ମିଶାଇ ସମୁଦାୟ ସଂଖ୍ୟା ୨୯ରେ ପହଞ୍ଚିଛି। ପ୍ରାଥମିକ ସୂଚନା ଅନୁଯାୟୀ, ନବଜାତ ଶିଶୁ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ନବଜାତ ଶିଶୁ ଜନ୍ମ ହେବା ପରେ ହାତୀପଲ ବର୍ତ୍ତମାନ ସେହି ଅଞ୍ଚଳରେ ହିଁ ଡେରା ପକାଇ ରହିଛନ୍ତି। ଘଟଣାସ୍ଥଳରେ ବନ୍ୟପ୍ରାଣୀ ଓ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲ ଏବଂ ନବଜାତ ଛୁଆର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପକ୍ଷରେ, ହାତୀପଲ ସ୍ଥାନୀୟ ଅଞ୍ଚଳରେ ରହିଥିବାରୁ କୌଣସି ଅଘଟଣ ଏଡ଼ାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷକରି ନାଳ କିମ୍ବା ବିଲ ଆଡ଼କୁ ନ ଯିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta