
ଝାରସୁଗୁଡା, ୧୮ ଅକ୍ଟୋବର (ହି.ସ.)- ରାସ୍ତା ଲୋକଙ୍କ ଯାତାୟାତକୁ ସୁଗମ କରିବା ସହ ସୁରକ୍ଷିତ ଜୀବନଯାତ୍ରାର ମାଧ୍ୟମ ହେବା କଥା। କିନ୍ତୁ, ରାଜପୁର ରାଣୀବନ୍ଧରୁ ଛେଳିକୁଠିକୁ ସଂଯୋଗ କରୁଥିବା ରାସ୍ତାର ଦୟନୀୟ ଅବସ୍ଥା ଦେଖିଲେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସୁଛି। ରାସ୍ତାରେ ଜାଗା ଜାଗାରେ ପିଚୁ ଉଠିଯିବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଦବିଯାଇଥିବାରୁ ଏହା ଏବେ ଯାତ୍ରୀଙ୍କ ପାଇଁ ଯାତନାର ପଥ ପାଲଟିଛି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପ୍ରଶାସନର ନିରବତା ଅଞ୍ଚଳବାସୀଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି। ସ୍ଥାନୀୟ ଅଞ୍ଚଳରେ କ୍ଷମତାଠାରୁ ଅଧିକ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି। ରାସ୍ତାରୁ ପିଚୁ ଉଠିଯିବା ଏବଂ ଗାତଗୁଡ଼ିକ ବଡ଼ ହେବା ଫଳରେ ଦୁଇଚକିଆ ଯାନ ଚାଳକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଯାତ୍ରୀମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ଗାତଗୁଡ଼ିକ ଠିକ୍ ଭାବେ ଦେଖାଯାଉନାହିଁ। ଫଳରେ ଯାତାୟାତ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ିଛି। ଟିକିଏ ଅସାବଧାନତା ଯେ କୌଣସି ସମୟରେ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ରାସ୍ତାର ଏହି ଦୁରବସ୍ଥା ସମ୍ପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ତେବେ ରାସ୍ତାର ଏଭଳି ଅବସ୍ଥା ପାଇଁ ଦାୟୀ କିଏ? ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ନାହିଁ କାହିଁକି ? ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗ କ’ଣ ଏହି ବିପଦକୁ ଦେଖିପାରୁନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ଉଠୁଛି। କୌଣସି ବଡ଼ ଦୁର୍ଘଟଣା ଘଟିବା ପରେ ପ୍ରଶାସନର ଚେତା ପଶିବାକୁ ଅପେକ୍ଷା କରାଯିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଲୋକଙ୍କ ଜୀବନ ଓ ସୁରକ୍ଷା ସହ ଜଡ଼ିତ ଏହି ସମସ୍ୟାକୁ ଆଉ ଅଣଦେଖା କରିବା ଉଚିତ ନୁହେଁ। ପ୍ରଶାସନ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଜରୁରୀକାଳୀନ ମରାମତି କରିବା ସହ ସ୍ଥାୟୀ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏଥିସହ ଭାରୀଯାନର ଓଜନ ଯାଞ୍ଚ, ନିୟମିତ ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ଜରୁରୀ।
ଲୋକଙ୍କ ଟିକସରେ ନିର୍ମିତ ରାସ୍ତା ଯଦି ଲୋକଙ୍କ ପାଇଁ ବିପଦର କାରଣ ହୁଏ, ତେବେ ଏହାର ଦାୟିତ୍ୱ କିଏ ନେବ ? ରାଣୀବନ୍ଧ-ଛେଳିକୁଠି ରାସ୍ତାର ଦୁରବସ୍ଥା ପ୍ରଶାସନର କାର୍ଯ୍ୟଦକ୍ଷତା ଓ ଜନସାଧାରଣଙ୍କ ସୁରକ୍ଷା ପ୍ରତି ତାହାର ଦାୟିତ୍ୱବୋଧ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେଣୁ ଆଉ ପ୍ରତିଶ୍ରୁତି ନୁହେଁ, ତୁରନ୍ତ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ