
ଝାରସୁଗୁଡ଼ା, ୧୮ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଦେଇ ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୯ରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଏକ ପିକ୍ଅପ୍ ଗାଡ଼ିର ଚାଳକ ଆହତ ହୋଇଛନ୍ତି। ଆହତ ଚାଳକ ଜଣକ ଛତିଶଗଡ଼ର ରାୟଗଡ଼ ଅଞ୍ଚଳର ବେଣୁ ସାହୁ ବୋଲି ଜଣାପଡ଼ିଛି। ଦୁର୍ଘଟଣାର ଭୟାବହତା ଏତେ ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାରୁ ଚାଳକ ଭିତରୁ ବାହାରି ପାରିନଥିଲେ। ପରେ ଲଖନପୁର ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସିଜି-୦୮-ଏଏମ୍-୯୦୭୦ ନମ୍ବର ବିଶିଷ୍ଟ ପିକ୍ଅପ୍ ଗାଡ଼ିଟି ଖାଲି କ୍ୟାରେଟ୍ ନେଇ ରାୟଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଏନ୍ଏଚ୍-୪୯ର ଲଖନପୁର ଥାନା ଅନ୍ତର୍ଗତ ଭଅଁରଖୋଲ ଦେମୂଳ ଛକ ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣା କିପରି ଘଟିଲା, ତାହାର ସଠିକ୍ କାରଣ ଜଣାପଡ଼ିନାହିଁ।
ଦୁର୍ଘଟଣା ପରେ ପିକ୍ଅପ୍ ର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଚାଳକ ବେଣୁ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଲଖନପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଏନେଇ ଖବର ଲେଖାଯିବା ସୁଦ୍ଧା କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାରୁ ଏହାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆବଶ୍ୟକ। ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟୁଥିବାରୁ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ଓ ସଡ଼କ ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱ ଦେବା ଜରୁରୀ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ