ବଙ୍ଗୀୟ କଳା ଓ ପରମ୍ପରାର ଝଲକରେ ଝଲସୁଛି କାଳୀବାରୀ ମଣ୍ଡପ
Kalibari-durga-puja-JHS
ବଙ୍ଗୀୟ କଳା ଓ ପରମ୍ପରାର ଝଲକରେ ଝଲସୁଛି କାଳୀବାରୀ ମଣ୍ଡପ


ଝାରସୁଗୁଡ଼ା, ୧୮ ଅକ୍ଟୋବର (ହି.ସ.)- ଶାରଦୀୟ ଦୁର୍ଗୋତ୍ସବର ଆଧ୍ୟାତ୍ମିକ ମାହୋଲରେ ମୁଖରିତ ହୋଇଉଠିଛି ଝାରସୁଗୁଡ଼ା ସହର। ଭକ୍ତି, ଶ୍ରଦ୍ଧା ଓ ବଙ୍ଗୀୟ କଳା-ସଂସ୍କୃତିର ଅନନ୍ୟ ସମନ୍ୱୟ ସହ କାଳୀବାରୀ ମଣ୍ଡଳ ପକ୍ଷରୁ ଆୟୋଜିତ ହୋଇଛି ୬୯ତମ ବାର୍ଷିକ ଦୁର୍ଗାପୂଜା। ମନୋରମ ମଣ୍ଡପ, ଆକର୍ଷଣୀୟ ଆଲୋକସଜ୍ଜା ଓ ପାରମ୍ପରିକ ବଙ୍ଗୀୟ ରୀତିନୀତି ଏଥରର ପୂଜାକୁ ଅଧିକ ଆକର୍ଷଣୀୟ କରିଛି। ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ମା' ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମ୍ପୂର୍ଣ୍ଣ ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେଉଥିବାରୁ ଏହି ମଣ୍ଡପରେ ଧାର୍ମିକ ଆସ୍ଥା ସହ କଳା ଓ ସଂସ୍କୃତିର ନିଆରା ଝଲକ ଦେଖିବାକୁ ମିଳୁଛି। ପାରମ୍ପରିକ ପୂଜାନୀତି ସହ ଧୂନୁଚି ନାଚର ଆକର୍ଷଣ ପୂଜାର ନୀତିକାନ୍ତି ଅନୁଯାୟୀ ସପ୍ତମୀ ପୂଜା ସମ୍ପନ୍ନ ହୋଇଛି। ରବିବାର ମହାଅଷ୍ଟମୀ ଅବସରରେ ସକାଳ ୬ଟାରେ ପୂଜା ଆରମ୍ଭ ହୋଇଥିବା ବେଳେ ସକାଳ ୭ଟାରୁ ୭ଟା ୫୦ ମଧ୍ୟରେ ପବିତ୍ର ସନ୍ଧିପୂଜା ଅନୁଷ୍ଠିତ ହୋଇଛି। ଆଗାମୀ ମଙ୍ଗଳବାର ସକାଳେ ପୂର୍ଣ୍ଣାହୂତି ହୋମ କାର୍ଯ୍ୟକ୍ରମ ରହିଛି। ସେହିଦିନ ରାତି ୯ଟା ୩୦ରୁ ମହିଳା ମଣ୍ଡଳ ପକ୍ଷରୁ ପାରମ୍ପରିକ ଧୂନୁଚି ନାଚ ପରିବେଷଣ କରାଯିବ। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣ ବଢ଼ାଇବ। ବଙ୍ଗୀୟ ପରମ୍ପରାର ଏହି ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ଭକ୍ତ ତଥା ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି। ବୁଧବାର ଭବ୍ୟ ଶୋଭାଯାତ୍ରାରେ ମାଆଙ୍କ ବିଦାୟ, ଭୋର ୪ଟାରେ ମାଆଙ୍କ ବରଣ ଓ ସିନ୍ଦୂର ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ସକାଳ ୮ଟା ୩୦ରେ ଭବ୍ୟ ଶୋଭାଯାତ୍ରାରେ ମାଆଙ୍କୁ ବୁଡ଼ିପଦର ଘାଟକୁ ନିଆଯାଇ ବିସର୍ଜନ କରାଯିବ। ତେବେ ଚଳିତ ବର୍ଷ କାଳୀବାରୀ ମଣ୍ଡଳ ପକ୍ଷରୁ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଉନାହିଁ।

ବଙ୍ଗୀୟ କାରିଗରଙ୍କ ହାତରେ ମଣ୍ଡପକୁ ନୂଆ ରୂପ କାଳୀବାରୀ ମଣ୍ଡଳର ଏହି ପୂଜାରେ ବଙ୍ଗୀୟ କଳା ଓ କାରିଗରୀର ସ୍ପଷ୍ଟ ଛାପ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗର ବର୍ଦ୍ଧମାନର ବୁଦ୍ଧଦେବ ପାଳ ମା'ଙ୍କ ମନୋରମ ପ୍ରତିମା ନିର୍ମାଣ କରିଥିବା ବେଳେ ପ୍ରେମ ହାଟି ମଣ୍ଡପ ନିର୍ମାଣ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଦିଲ୍ଲୀପ ସରକାରଙ୍କ ଦ୍ୱାରା ଆକର୍ଷଣୀୟ ଆଲୋକସଜ୍ଜା କରାଯାଇଛି। ପଣ୍ଡିତ ପଶୁପତି ରାଜ ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଇନ୍ଦ୍ର ନାରାୟଣ ଭଟ୍ଟାଚାର୍ଯ୍ୟ ଓ ଅମିତ ବିଶ୍ୱାସ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।

କମିଟିର ସାମୂହିକ ପ୍ରୟାସ ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବକୁ ସଫଳ କରିବାରେ କାଳୀବାରୀ ମଣ୍ଡଳର ସଭାପତି ନିହାର ତ୍ରିପାଠୀ, ସମ୍ପାଦକ ତାପସ ରାୟ ଚୌଧୁରୀ, କୋଷାଧ୍ୟକ୍ଷ ପ୍ରବୀର ପାଉଲଙ୍କ ସମେତ ମଣ୍ଡଳର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରୁଛନ୍ତି। ଦୀର୍ଘ ୬୯ ବର୍ଷର ପରମ୍ପରାକୁ ଆଗେଇ ନେଇ କାଳୀବାରୀ ମଣ୍ଡଳ ଝାରସୁଗୁଡ଼ାରେ ଧାର୍ମିକ ଆସ୍ଥା, ସାଂସ୍କୃତିକ ଏକତା ଓ ବଙ୍ଗୀୟ ପରମ୍ପରାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande