
ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଦିନ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମ୍ମିଳନୀ କକ୍ଷ ଠାରେ ସମ୍ପାଦକ ତଥା ଲେଖକ ଶ୍ରୀ ଶଶାଙ୍କ ଚୂଡ଼ାମଣିଙ୍କ ସମ୍ପାଦିତ ‘ବିଶ୍ୱମୁକ୍ତି’ ପତ୍ରିକାର ଓଡ଼ିଆ ଓ ହିନ୍ଦୀ ସଂସ୍କରଣର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଭାଷା ହେଉଛି ଆମ ଜାତିର ପରିଚୟ ଏବଂ ସାହିତ୍ୟ ହେଉଛି ଆମ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଜୀବନ୍ତ ପ୍ରତିଫଳନ। ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବକୁ ଜାତୀୟ ତଥା ବିଶ୍ୱସ୍ତରରେ ପହଂଚାଇବା ସହ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାରପ୍ରସାର ଦିଗରେ ‘ବିଶ୍ୱମୁକ୍ତି’ର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।
ଏକ ବୃହତ୍ ଲକ୍ଷ୍ୟର ସଫଳତା ପାଇଁ ପ୍ରତ୍ୟେକଙ୍କର ଛୋଟ ଛୋଟ ଅବଦାନ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ। ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପାଇଁ ଆହୁରି ସମୃଦ୍ଧ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ମା’ ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ଆଶୀର୍ବାଦରୁ ଏହି ସାହିତ୍ୟିକ ପ୍ରୟାସ ନିରନ୍ତର ଆଗକୁ ବଢ଼ୁ ଏବଂ ଓଡ଼ିଆ ଭାଷାର ଗୌରବ ବିଶ୍ୱଦରବାରରେ ଅଧିକରୁ ଅଧିକ ପ୍ରତିଷ୍ଠିତ ହେଉ, ଏହା ହିଁ କାମନା।
ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା