
ଝାରସୁଗୁଡ଼ା, ୧୮ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ ଆଞ୍ଚଳିକ ଧନୁଯାତ୍ରା ଚଳିତ ବର୍ଷ ୨୦ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଦୀର୍ଘ ୧୯ ବର୍ଷର ପରମ୍ପରା ଓ ଆଞ୍ଚଳିକ ଜନସାଧାରଣଙ୍କ ଭାବାବେଗ ସହ ଜଡ଼ିତ ଏହି ମହୋତ୍ସବକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ଓ ମହାଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ କଂସ ମଣ୍ଡପଠାରେ ବେଣୁଧର ସିଂହଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି।
ପୂର୍ବ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଧନୁଯାତ୍ରା ଆୟୋଜନ ପାଇଁ ସଂକଳ୍ପ ନିଆଯାଇଥାଏ। ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଚଳିତ ବର୍ଷର ଯାତ୍ରାକୁ ସଫଳ କରିବା ଲକ୍ଷ୍ୟରେ ପୂର୍ବ କମିଟିର ସଦସ୍ୟ ଓ ଅଞ୍ଚଳର ବିଭିନ୍ନ ବର୍ଗର ସଚେତନ ନାଗରିକଙ୍କୁ ନେଇ ବୈଠକ ଡକାଯାଇଥିଲା। ବୈଠକରେ ଚଳିତ ବର୍ଷ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ଉପରେ ଆଲୋଚନା ହୋଇଥିଲା। ଏହି ଆଞ୍ଚଳିକ ମହୋତ୍ସବର ପରମ୍ପରା, ସାଂସ୍କୃତିକ ମହତ୍ତ୍ୱ ଓ ଜନସମ୍ପୃକ୍ତିକୁ ଆଗକୁ ବଢ଼ାଇବା ସହ ଆୟୋଜନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ପୂର୍ବ କମିଟିର ସମ୍ପାଦକ ପ୍ରେମାନନ୍ଦ ସାହୁ, ଗୌଡ଼ିଆ ସଞ୍ଜୟ ସିଂହ, ଝାଙ୍କର ଟଙ୍କଧର ନେଟୀ, ସାଲେ ଗ୍ରାମ ନାଏକ, ଅମରେନ୍ଦ୍ର ସିଂହ, ପ୍ରସନ୍ନ ପଧାନ, ସୌକି ପଧାନ, ବିରଞ୍ଚି ପଧାନ, ପ୍ରସନ୍ନ ସିଂହ, କୃଷ୍ଣଚନ୍ଦ୍ର ସିଂହ, ପ୍ରଦୀପ କରାଳୀ, ମନୋରଞ୍ଜନ କଣ୍ଟା, କେଦାର ଖମାରୀଙ୍କ ସମେତ ଅନେକ କମିଟି ସଦସ୍ୟ ଓ ଆଞ୍ଚଳିକ ସଚେତନ ନାଗରିକ ଉପସ୍ଥିତ ଥିଲେ। ବନ୍ଧବାହାଲ ଧନୁଯାତ୍ରାର ୨୦ତମ ବର୍ଷକୁ ସ୍ମରଣୀୟ କରିବା ସହ ଏହାକୁ ଅଞ୍ଚଳର ଏକ ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଭାବେ ଆହୁରି ସମୃଦ୍ଧ କରିବା ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ