ସପ୍ତମୀରେ ମା’ ତାରିଣୀଙ୍କ ସୁନାବେଶ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ
ଘଟଗାଁ, ୧୮ଅକ୍ଟୋବର (ହି.ସ.) ପାର୍ବଣର ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁ ମା’ ତାରିଣୀଙ୍କ ପୀଠ। ମନ୍ଦିର ପରିସରସ୍ଥିତ ପୂଜାମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥିବାବେଳେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍
ସପ୍ତମୀରେ ମା’ ତାରିଣୀଙ୍କ ସୁନାବେଶ  ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ


ଘଟଗାଁ, ୧୮ଅକ୍ଟୋବର (ହି.ସ.)

ପାର୍ବଣର ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁ ମା’ ତାରିଣୀଙ୍କ ପୀଠ। ମନ୍ଦିର ପରିସରସ୍ଥିତ ପୂଜାମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥିବାବେଳେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପୂଜାର ପ୍ରାରମ୍ଭରେ ବେଲବରଣୀ ପୂଜା, କଳସ ଯାତ୍ରା, ନବପତ୍ରିକା ସ୍ନାନ, ସୂର୍ଯ୍ୟପୂଜା ଓ ମା’ଙ୍କ ଷୋଡ଼ଶ ଉପଚାର ପୂଜା ସମ୍ପନ୍ନ ହୋଇଥିଲା। ପୂଜକ କେଶବ ଚନ୍ଦ୍ର ଆଚାର୍ଯ୍ୟ, ଶରତ ଚନ୍ଦ୍ର ପଣ୍ଡା, ସନ୍ତୋଷ ପଣ୍ଡା ଓ ଶିବ ପ୍ରସାଦ ପ୍ରହରାଜ ପୂଜାର୍ଚ୍ଚନା କରିଥିଲେ। ସଂକଳ୍ପ କାର୍ଯ୍ୟରେ ମନ୍ଦିରର ବରିଷ୍ଠ କର୍ମଚାରୀ କୂଳମଣି ପଲେଇ ଓ ତାଙ୍କ ସହଧର୍ମିଣୀ ମିନତୀ ପଲେଇ ଅଂଶଗ୍ରହଣ କରିଥିଲେ।

ସପ୍ତମୀ ଅବସରରେ ମା’ ତାରିଣୀଙ୍କ ମନୋରମ ସୁନାବେଶ ଭକ୍ତଙ୍କ ମନ ମୋହିଥିଲା। ଅନୁକୂଳ ପାଗ ଯୋଗୁଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଆକର୍ଷଣୀୟ ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ପୂଜାମଣ୍ଡପ ସୁସଜ୍ଜିତ ହୋଇଥିବାବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାର୍ବଣର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା।

ଏହି ଅବସରରେ ଘଟଗାଁ ପୁଲିସ ଉପଖଣ୍ଡ ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଥାନା ଅଧିକାରୀ ଶୁଭ୍ରାନ୍ତ ଜେନା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande