
ଭୁବନେଶ୍ୱର18 ଅକ୍ଟୋବର (ହି.ସ.)
ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ଏବଂ ସ୍ୱର ନକଲ କରାଯାଇଥିବା ବିଷୟବସ୍ତୁ ସୋସିଆଲ ମିଡିଆରେ ପ୍ରସାରଣକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ୍ ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇଛଇ । ଏଥିରେ ଏଫ୍ଆଇଆର୍ ରୁଜୁ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।
ବିଜେଡି ପକ୍ଷରୁ ଶ୍ରୀମତୀ ଅମି୍ରତା ମିଶ୍ର ଏହି ଅଭିଯୋଗ ଦାଖଲ କରିଥିଲେ । ଏଥିରେ ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ରେ ‘ଓଡିଆଙ୍କ ଛାଟ’ ନାମକ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିବା ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅଭିଯୋଗ ଅନୁଯାୟୀ, ୧୮ ଅକ୍ଟୋବର ୨୦୨୬ରେ ଏହି ଆକାଉଣ୍ଟଗୁଡ଼ିକରେ ଏଆଇ ଏବଂ ସ୍ୱର ନକଲ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କେତେକ ମନଗଢ଼ା ବିଷୟବସ୍ତୁ ପ୍ରସାରଣ କରାଯାଇଥିଲା । ଏଥିରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ଧମକ ଦେଉଥିବା ଭଳି ଏକ କଥିତ ଜାଲିଆତିପୂର୍ଣ୍ଣ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି ।
ବିଜେଡି ପକ୍ଷରୁ ଉକ୍ତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ପରିଚାଳନା କରୁଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଚିହ୍ନଟ କରିବା, ଡିଜିଟାଲ୍ ପ୍ରମାଣଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ସେଗୁଡ଼ିକର ଫରେନ୍ସିକ୍ ଯାଞ୍ଚ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏଥିସହ ଆଇନସମ୍ମତ ପ୍ରକ୍ରିୟାରେ ମେଟା ପ୍ଲାଟଫର୍ମସ୍ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ଏବଂ ଏହି ମିଥ୍ୟା ଓ ଆପତ୍ତିଜନକ ବିଷୟବସ୍ତୁର ପରବର୍ତ୍ତୀ ପ୍ରସାରଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ଅନୁରୋଧ କରାଯାଇଛି ।
ବିଜେଡି କହିଛି ଯେ, କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର କରି ମିଥ୍ୟା ବକ୍ତବ୍ୟ ପ୍ରସ୍ତୁତ କରିବା, ଜଣେ ମହିଳା ନେତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଏକ ଗମ୍ଭୀର ବିଷୟ । ଏହି ଘଟଣାରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ସହ ଆଇନ ଅନୁଯାୟୀ ଦୋଷୀମାନଙ୍କୁ ଦାୟୀ କରିବା ପାଇଁ ଦଳ ଦାବି କରିଛି । ଏହି ଅବସରରେ ରାଜ୍ୟସଭାର ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି, ଶ୍ରୀ ରକି ଦାସ, ଶ୍ରୀମତୀ ମାନସୀ ସୁନ୍ଦରରାୟ, ଶ୍ରୀମତୀ ଇଲା ସ୍ୱାଇଁ, ଶ୍ରୀ ନୀଳମାଧବ ମହାନ୍ତି, ଶ୍ରୀମତୀ ସୋନାଲି ବେହେରାଙ୍କ ସମେତ ଅନ୍ୟାନ୍ୟ ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା