
ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.) – ଢେଙ୍କାନାଳ ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍ଓ)ଙ୍କ କାର୍ଯ୍ୟାଳୟରେ ପ୍ରାୟ ଦଶ ବର୍ଷ ଧରି ଚାଲିଥିବା ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଓଡ଼ିଶା ଭିଜିଲାନ୍ସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡିଏଫ୍ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୁଜିତ କୁମାର ଜେନା, ହାତୀ ସ୍କ୍ୱାଡ୍ର କର୍ମଚାରୀ ସୌମ୍ୟରଞ୍ଜନ ବେହେରା ଏବଂ ରଶ୍ମିରଞ୍ଜନ ସ୍ୱାଇଁ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ୨୦୧୬ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଯାଞ୍ଚ ବେଳେ ଏହି ଅନିୟମିତତା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସୁଜିତ ଜେନା ନିଜର କାର୍ଯ୍ୟାଳୟ ସମ୍ବନ୍ଧୀୟ କ୍ଷମତାର ଅପବ୍ୟବହାର କରି ସରକାରୀ ଅର୍ଥକୁ ନିଜ ବ୍ୟାଙ୍କ ଖାତା, ପରିବାର ସଦସ୍ୟ ଏବଂ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ, ଚାକିରିରୁ ବହିଷ୍କୃତ ଏବଂ ଫେରାର ଥିବା କର୍ମଚାରୀଙ୍କ ନାମରେ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ, ଅସ୍ଥାୟୀ ପେନ୍ସନ୍, କାର୍ଯ୍ୟାଳୟର ଦରମା ବାବଦ ସରକାରୀ ଅନୁଦାନ, ଆକସ୍ମିକ ଖର୍ଚ୍ଚ, କର୍ମଚାରୀଙ୍କ ବକେୟା ଦରମା ଏବଂ ଜାଲ୍ ଯାତ୍ରା ଭତ୍ତା (ଟିଏ) ବିଲ୍ ଜରିଆରେ ଅର୍ଥ ହଡ଼ପ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ