
ଜୟପୁର, 18 ଅକ୍ଟୋବର (ହି.ସ.)
ଶୃଙ୍ଖଳା, ଦେଶପ୍ରେମ ଓ ନେତୃତ୍ୱର ବିକାଶ ସହ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ୧୮ତମ ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି, ଜୟପୁର ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ଶିବିର ଅକ୍ଟୋବର ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୪୦୬ ଜଣ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଛନ୍ତି। ଶିବିରରେ ବରିଷ୍ଠ ବିଭାଗର ଛାତ୍ର , ବରିଷ୍ଠ ବିଭାଗର ଛାତ୍ରୀ , କନିଷ୍ଠ ବିଭାଗର ଛାତ୍ର ଓ କନିଷ୍ଠ ବିଭାଗର ଛାତ୍ରୀ ଯୋଗ ଦେଇଛନ୍ତି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନର ୭ ଜଣ ସହଯୋଗୀ ଏନ୍ସିସି ଅଧିକାରୀ ମଧ୍ୟ ଶିବିରରେ ଉପସ୍ଥିତ ଅଛନ୍ତି। ଶିବିରକୁ କ୍ୟାମ୍ପ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରୀତି ରଞ୍ଜନ ଦାସ ଉଦ୍ଘାଟନ କରି କ୍ୟାଡେଟ୍ମାନଙ୍କୁ ଶୃଙ୍ଖଳା, ନିଷ୍ଠା, ସମୟାନୁବର୍ତ୍ତିତା ଓ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଏଥିସହ ନେତୃତ୍ୱ ନେବାର ଦକ୍ଷତା ଓ ସାମୂହିକ ଦାୟିତ୍ୱବୋଧର ବିକାଶ ପାଇଁ ଏଭଳି ପ୍ରଶିକ୍ଷଣ ଶିବିରର ଗୁରୁତ୍ୱ ରହିଥିବା ସେ କହିଥିଲେ। ଏହି ଅବସରରେ ଡେପୁଟି କ୍ୟାମ୍ପ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାକେଶ ମିଶ୍ର ଉପସ୍ଥିତ ଥିଲେ।ଶିବିରରେ କ୍ୟାଡେଟ୍ମାନଙ୍କ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି, ଶୃଙ୍ଖଳାବୋଧ, ଦେଶପ୍ରେମ ଏବଂ ସାମାଜିକ ଦାୟିତ୍ୱବୋଧର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ବାଟାଲିୟନ୍ର ସୁବେଦାର ଓ ପ୍ରଶିକ୍ଷଣ କର୍ମଚାରୀମାନେ ଶିବିରର ସୁପରିଚାଳନା ସହ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।ଏନ୍ସିସିର ମୂଳମନ୍ତ୍ର ‘ଏକତା ଓ ଶୃଙ୍ଖଳା’କୁ ଆଧାର କରି କ୍ୟାଡେଟ୍ମାନଙ୍କ ମଧ୍ୟରେ ଭାଇଚାରା, ସହଯୋଗ ଓ ସାମୂହିକ ମନୋଭାବ ଗଢ଼ିତୋଳିବା ଏହି ଶିବିରର ଅନ୍ୟତମ ଉଦ୍ଦେଶ୍ୟ। ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ୟାଡେଟ୍ଙ୍କ ସମ୍ମିଳିତ ଅଂଶଗ୍ରହଣ ଫଳରେ ଏହି ଶିବିର ପାରସ୍ପରିକ ଭାବ ବିନିମୟ, ଅନୁଭୂତି ଆଦାନପ୍ରଦାନ ଓ ଦଳଗତ ଦକ୍ଷତା ବିକାଶର ଏକ ଉତ୍ତମ ମଞ୍ଚ ପାଲଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି