କୋଲାବିରା ବଏଲ ଯାତ୍ରା ସମ୍ପନ୍ନ
Boli yatra held in kolabira
କୋଲାବିରା ବଏଲ ଯାତ୍ରା ସମ୍ପନ୍ନ


ଝାରସୁଗୁଡା, 21 ଅକ୍ଟୋବର (ହି.ସ.)

ପୁରାତନ ଜୟପୁର ଇଷ୍ଟେଟ ତଥା ବର୍ତ୍ତମାନ ର କୋଲାବିରା ର ପ୍ରସିଦ୍ଧ ଦକ୍ଷିଣ କାଳୀ ବଏଲ ଯାତ୍ରା ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇ ବୁଧୁବାର ମଧ୍ୟାହ୍ନ ରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି l ସନ୍ଧ୍ୟାରେ ମନ୍ଦିରରେ ରାଜପୁରୋହିତ ପ୍ରଦ୍ୟୁମ୍ନ ପୁରୋହିତ ଙ୍କ ପୂଜାର୍ଚ୍ଚନା ପରେ ବରୁଆ ଙ୍କ ଦେହରେ ଦେବୀଙ୍କ ପ୍ରବେଶ କରାଯାଇଥିଲା l ଏହାପରେ ଦେବୀ ଙ୍କ ବରୁଆ କୁ ଗୀତ ବାଦ୍ୟ ର ତାଳେ ତାଳେ ଗ୍ରାମ ପରିକ୍ରମା କରାଯାଇଥିଲା l ଦେବୀଙ୍କ ବରୁଆ କୁ ଘରେ ଘରେ ପୂଜାର୍ଚ୍ଚନା କରାଯାଇଥିଲା l ମାନସିକ ରଖିଥିବା ଭକ୍ତ ଦେବୀଙ୍କୁ ବୋଦା ବଳି ଦେଇଥିଲେ l ଜମିଦାର ଙ୍କ ରାଜପ୍ରାସାଦ ରୁ ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ ଙ୍କ ନେତୃତ୍ୱରେ ରଣଜିତା ଙ୍କ ଏକ ବିରାଟ ପଟୁଆର ବାହାରି ରଣଜିତା ଦେବୀ ଙ୍କ ପଡ଼ିଆ କୁ ପହଞ୍ଚିଥିଲା l ଏଠାରେ ଖଣ୍ଡା ଖେଳ ଅନୁଷ୍ଠିତ ହୋଇଥିଲା l ବାଟରେ ବରୁଆ ଙ୍କ ସହ ରଣଜିତା ଙ୍କ ଅପୂର୍ବ ଭେଟ ହୋଇଥିଲା l ଜମିଦାର ବଂଶଜ ରୁଦ୍ରପ୍ରତାପ ସିଂହ ଙ୍କ ନେତୃତ୍ୱରେ ଦେବୀ ଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା l ଏଥିରେ ଯୋଗୀନ୍ଦ୍ର ରାଏ ବରୁଆ ଦାୟିତ୍ୱ ତୁଲାଇଥିଲେ l ପ୍ରଦ୍ୟୁମ୍ନ ପୁରୋହିତ ଓ ବିଜୟ ପୂଜାରୀ ପୂଜକ ଦାୟିତ୍ଵ ତୁଲାଇଥିଲେ l ମନ ରାଏ, ମାନଭଞ୍ଜନ ସିଂହ, ସ୍ମୃତି ରଞ୍ଜନ ରାଏ, ସନ୍ତୋଷ ଦଳେଇ, ଲଳିତ ସାହୁ ପ୍ରମୁଖ ବରୁଆ ଙ୍କ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ବୁଧୁବାର ପୂର୍ବାହ୍ନ ରେ ଦକ୍ଷିଣ କାଳୀ ମନ୍ଦିର ପରିସରରେ ଦେବୀଙ୍କ ଖଣ୍ଡା ଖେଳ ଅନୁଷ୍ଠିତ ହୋଇଥିଲା l ଖଣ୍ଡା ଖେଳ ପରେ ମନ୍ଦିରରେ ଦେବୀଙ୍କ ପାଟ ଯାଇଥିଲା l ଅପରପକ୍ଷରେ ମଙ୍ଗଳବାର ଅପରାହ୍ନ ରେ ଦକ୍ଷିଣ କାଳୀ ମନ୍ଦିର ରେ ଦଶହରା ପୂର୍ଣ୍ଣାହୁତି ପୂଜା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ପୂଜାର୍ଚ୍ଚନା ରେ ଜମିଦାର ବଂଶଜ ରୁଦ୍ରପ୍ରତାପ ସିଂହ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ପୂଜା ଓ ଯାତ୍ରା ରେ ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବ ବିଧାୟିକା ଦୀପାଳି ଦାସ, ସମାଜସେବୀ ମିନତି ଦାସ ପ୍ରମୁଖ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ l ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ଅର୍କିଷ୍ଟା , ଆଧୁନିକ କୃଷ୍ଣଗୁରୁ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ବଏଲ ଯାତ୍ରା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଯାତ୍ରା ରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋଲାବିରା ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande