ବ୍ରଜରାଜନଗରରେ ବେଆଇନ ଅସ୍ତ୍ର କାରବାର ଉପରେ ପୁଲିସର ଚଢ଼ାଉ
Brajrajnagar police arrest one person
ବ୍ରଜରାଜନଗରରେ ବେଆଇନ ଅସ୍ତ୍ର କାରବାର ଉପରେ


ଦୁଇ ଦେଶୀ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ, ଯୁବକ ଗିରଫ

ଝାରସୁଗୁଡା, 21 ଅକ୍ଟୋବର (ହି.ସ.): ବ୍ରଜରାଜନଗର ପୁଲିସକୁ ବେଆଇନ ଅସ୍ତ୍ର ଜବତ କ୍ଷେତ୍ରରେ ସଫଳତା ମିଳିଛି। ଓପିଏମ୍ ଫିଲ୍ଡର ପ୍ରବେଶ ଦ୍ୱାର ନିକଟରେ ଚଢ଼ାଉ କରି ପୁଲିସ ଦୁଇଟି ଦେଶୀ ବନ୍ଧୁକ, ୩ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ରୟାଲ ଏନଫିଲ୍ଡ ମୋଟରସାଇକେଲ ଜବତ କରିବା ସହ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଓପିଏମ୍ କଲୋନୀର ଆଦିତ୍ୟ ଶର୍ମା ଓରଫ ଆଦି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବ୍ରଜରାଜନଗର ଥାନା ଅଞ୍ଚଳରେ ଏସ୍ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଟନେଲ ରୋଡ୍ରେ ପାଟ୍ରୋଲିଂ କରୁଥିଲା। ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଓପିଏମ୍ ଫିଲ୍ଡ ନିକଟରେ ଜଣେ ଯୁବକ ମୋଟରସାଇକେଲରେ ବେଆଇନ ବନ୍ଧୁକ ନେଇ ଯାଉଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ପୁଲିସ ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ଯୁବକ ଜଣକ ମୋଟରସାଇକେଲରେ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ଓପିଏମ୍ ଫିଲ୍ଡର ପ୍ରବେଶ ଦ୍ୱାର ନିକଟରେ କାବୁ କରାଯାଇଥିଲା।

ତଲାସୀ ସମୟରେ ଯୁବକଙ୍କ ଡାହାଣ ପାର୍ଶ୍ୱ ପ୍ୟାଣ୍ଟ ପକେଟରୁ ଗୋଟିଏ ଦେଶୀ ଏକନଳୀ ବନ୍ଧୁକ ଓ ୮ ଏମ୍ଏମ୍ର ୩ ରାଉଣ୍ଡ ଜୀବନ୍ତ ଗୁଳି ମିଳିଥିଲା। ସେହିପରି ଅଣ୍ଟାର ବାମ ପାର୍ଶ୍ୱରୁ ମ୍ୟାଗାଜିନ୍ ଲାଗିଥିବା ଆଉ ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଥିଲା। ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଯୁବକଙ୍କ ପାଖରେ କୌଣସି ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ବନ୍ଧୁକ, ଗୁଳି ଓ ମୋଟରସାଇକେଲକୁ ଜବତ କରାଯାଇଥିଲା।

ଗିରଫ ଆଦିତ୍ୟ ଶର୍ମା ଓରଫ ଆଦି ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ୍ କଲୋନୀ ଏ-ଲାଇନ୍ର ବାସିନ୍ଦା। ଏହି ଘଟଣାରେ ବ୍ରଜରାଜନଗର ଥାନା କେସ୍ ନମ୍ବର ୨୪୭, ତାରିଖ ୧୯ ଅକ୍ଟୋବର ୨୦୨୬ରେ ଭାରତୀୟ ଅସ୍ତ୍ରଶସ୍ତ୍ର ଆଇନ, ୧୯୫୯ର ଧାରା ୨୫(୧-ବି)(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।ପୁଲିସ ସୂଚନା ଅନୁଯାୟୀ, ଆଦିତ୍ୟଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛି। ଏଥିମଧ୍ୟରୁ ବ୍ରଜରାଜନଗର ଥାନାରେ ୨୦ ଜାନୁଆରୀ ୨୦୨୬ରେ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧-ଏ) ଅନୁଯାୟୀ କେସ୍ ନମ୍ବର ୧୭ ରୁଜୁ ହୋଇଥିଲା। ସେହିପରି ଝାରସୁଗୁଡ଼ା ଥାନାରେ ୧୯ ଅଗଷ୍ଟ ୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧/୩୦୫(ଏ) ଅନୁଯାୟୀ କେସ୍ ନମ୍ବର ୭୬ ରୁଜୁ ହୋଇଥିଲା। ଏହି ପୂର୍ବ ମାମଲାଗୁଡ଼ିକୁ ନେଇ ମଧ୍ୟ ପୁଲିସ ତଥ୍ୟ ସଂଗ୍ରହ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande