
ଚମ୍ପୁଆ, ୨୧ ଅକ୍ଟୋବର (ହି.ସ.) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଂଚଳରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣା ଗୁଡ଼ିକରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ପ୍ରଥମ ଘଟଣାଟି ଗୁମୁରା ଛକ ଠାରେ ଘଟିଛି। ଚମକପୁର ଗ୍ରାମର ଧବଳେଶ୍ୱର ନାଏକ (୮୦) ନାମକ ଜଣେ ବୃଦ୍ଧ ଗୁମୁରା ଛକ ନିକଟରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେହିପରି ଅନ୍ୟ ଏକ ଦୁର୍ଘଟଣା ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ରିମୁଳି ବାଇପାସ ଠାରେ ଘଟିଛି। ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଯୋଡ଼ା ଥାନା ବିଚାକୁଣ୍ଡି ଅଂଚଳର ଆଦର୍ଶ ଯଶୱାଲ (୨୧) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଦର୍ଶ ରିମୁଳିରୁ ଯୋଡ଼ା ଅଭିମୁଖେ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ସ୍ଥାନୀୟ ପୋଲିସ ଏହି ଦୁଇଟିଯାକ ଘଟଣାର ତଦନ୍ତ ଆରମ୍ଭ କରିଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta