
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ଅବୈଧ ଏସଆଇଆର ପ୍ରକ୍ରିୟାକୁ ବାତିଲ କରିବା। ପୂର୍ବରୁ ପ୍ରଚଳିତ ନିୟମିତ ବ୍ୟବଧାନରେ ମତଦାତା ତାଲିକା ସଂଶୋଧନ ବ୍ୟବସ୍ଥାକୁ ପୁନଃ ଲାଗୁ କରିବା, ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ରଦ୍ଦ କରିବା, ଭାରତର ନିର୍ବାଚନ ଆୟୋଗର ସ୍ୱାଧୀନତା ଓ ସ୍ୱାୟତତା ସୁନିଶ୍ଚିତ କରିବା, ବ୍ୟାପକ ନିର୍ବାଚନ ସଂସ୍କାର କରାଯାଇ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା, ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଏବଂ ନିର୍ବାଚନୀ ଅର୍ଥ ଯୋଗାଣର ପ୍ରମୁଖ ବ୍ୟବସ୍ଥା ଭାବେ ରାଜ୍ୟ ପକ୍ଷରୁ ନିର୍ବାଚନୀ ପାଣ୍ଠି ଯୋଗାଣକୁ ସାମିଲ କରାଯିବା ପ୍ରଭୃତି ଦାବି ନେଇ ୨୩ ଅକ୍ଟୋବର ୨୦୨୬ରେ ଦେଶବ୍ୟାପୀ ବିଶାଳ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲାରେ ସଫଳ କରିବା ଏବଂ ଏହାର ବାର୍ତାକୁ ସମାଜର ସମସ୍ତ ସ୍ତରରେ ପହଂଚାଇବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡା ସହରର ଖଡ଼ିଅଙ୍ଗ ସ୍ଥିତ ଶ୍ରମିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି। ଅକ୍ଟୋବର ୨୩ତାରିଖ ଦିନ ଏହି ସବୁ ଦାବିରେ ଆନ୍ଦୋଳନକାରୀମାନେ ତ୍ରିରଙ୍ଗା ଓ ପ୍ଲାକକାର୍ଡ ଧରି ଜିଲ୍ଲାପାଳ ଅଫିସି ଘେରାଓ କରିବାକୁ ନିଷ୍ପତି ହୋଇଛି। ଶ୍ରମିକ ନେତା ଜଗତ ଜୀବନ ଦାଶ,ଫକୀର ଖଟୁଆ, ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ନେତା ରମଣୀ ରଞ୍ଜନ ରାଉତ ରାୟ, ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, କର୍ମଚାରୀ ନେତା ନରୋତମ ପାର୍ଥସରଥୀ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି