ସୋଡାମାଲ ହାଇସ୍କୁଲ ନିକଟ ରାସ୍ତାରେ ବିପଦସଙ୍କୁଳ ଖାଲ, ମରାମତି ଦାବିରେ ଆଦିବାସୀ ସଂଘର ଦାବିପତ୍ର
ଝାରସୁଗୁଡ଼ା, ୨୧ ଅକ୍ଟୋବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସୋଡାମାଲ ପଂଚାୟତର ସୋଡାମାଲ ହାଇସ୍କୁଲ ନିକଟରେ ରାସ୍ତା ଉପରେ ସୃଷ୍ଟି ହୋଇଥିବା ବଡ଼ ଖାଲ ଏବେ ଦୁର୍ଘଟଣାର କାରଣ ପାଲଟିଛି। ନାଳର ଶେଷମୁଣ୍ଡ ଦବିଯିବା ଯୋଗୁଁ ପୂର୍ତ ବିଭାଗ ଅଧୀନ ରାସ୍ତାରେ ଏହି ଖାଲ ସୃଷ୍ଟି ହୋଇଥି
ଭକ୍ତି, ପରମ୍ପରା ଓ ଉତ୍ସାହରେ ମୁଖରିତ କେଶଦୁରାପାଳ ଦୁର୍ଗାପୂଜା


ଝାରସୁଗୁଡ଼ା, ୨୧ ଅକ୍ଟୋବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସୋଡାମାଲ ପଂଚାୟତର ସୋଡାମାଲ ହାଇସ୍କୁଲ ନିକଟରେ ରାସ୍ତା ଉପରେ ସୃଷ୍ଟି ହୋଇଥିବା ବଡ଼ ଖାଲ ଏବେ ଦୁର୍ଘଟଣାର କାରଣ ପାଲଟିଛି। ନାଳର ଶେଷମୁଣ୍ଡ ଦବିଯିବା ଯୋଗୁଁ ପୂର୍ତ ବିଭାଗ ଅଧୀନ ରାସ୍ତାରେ ଏହି ଖାଲ ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଫଳରେ ସାଧାରଣ ଲୋକ ଓ ଯାତ୍ରୀମାନେ ଆହତ ହେଉଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ଏହି ସମସ୍ୟାର ସମାଧାନ ପାଇଁ ସୋଡାମାଲ ପାଂୟତର ସରପଂଚ ଚନ୍ଦନ ପଟ୍ଟନାୟକ ଏବଂ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ପୂର୍ତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ବଲପୁର ପୂର୍ତ ବିଭାଗ ଅଧୀନରେ ରହିଥିବାରୁ ଏହି ସମସ୍ୟା ସମ୍ପର୍କରେ ଉଭୟ ସମ୍ବଲପୁର ଓ ଝାରସୁଗୁଡ଼ା ପୂର୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଏପରିକି ସମ୍ବଲପୁର ପୂର୍ତ ବିଭାଗର ଅଧିକାରୀମାନେ ଫୋନ୍ ଉଠାଉ ନଥିବା ନେଇ ମଧ୍ୟ ସରପଂଚ ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, କୋଲାବିରା ଥାନା ଅଧିକାରୀ ସନ୍ତୋଷ ପ୍ରଧାନଙ୍କ କହିବା ଅନୁଯାୟୀ, ନାଳର ଶେଷମୁଣ୍ଡ ଦବିଯିବା ଯୋଗୁଁ ଉକ୍ତ ସ୍ଥାନରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହାଦ୍ୱାରା ପୋଲିସ ବିଭାଗକୁ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏହି ବିପଦସଙ୍କୁଳ ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ପ୍ରତିକାର ଦାବିରେ ବୁଧବାର ଆଦିବାସୀ ସଂଘର ଉପାଧ୍ୟକ୍ଷ ପ୍ରେମସାଗର ଧୁରୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଖାଲ ମରାମତି କରିବା ସହ ନାଳର ଦବିଯାଇଥିବା ଅଂଶର ସ୍ଥାୟୀ ନିର୍ମାଣ କରିବାକୁ ସଂଘ ଦାବି କରିଛି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande