
ଇସଲାମାବାଦ (ପାକିସ୍ତାନ), ୨୧ ଅକ୍ଟୋବର (ହି.ସ.)। ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜ୍ଜୁ ମଙ୍ଗଳବାର ରାତିରେ ଇସଲାମାବାଦରେ ପହଞ୍ଚିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିମନ୍ତ୍ରଣକ୍ରମେ ସେ ତିନିଦିନିଆ ରାଜକୀୟ ଗସ୍ତରେ ଆସିଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଛନ୍ତି। ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ମୁଇଜ୍ଜୁ ଓ ତାଙ୍କ ପତ୍ନୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ତାଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।
‘ଦି ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ପ୍ରଧାନମନ୍ତ୍ରୀ ନିବାସରେ ଡକ୍ଟର ମୁଇଜ୍ଜୁଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯିବ। ମାଳଦ୍ୱୀପ ରାଷ୍ଟ୍ରପତି ଅକ୍ଟୋବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ରାଜକୀୟ ଗସ୍ତରେ ରହିଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ସାକ୍ଷାତ କରିବେ। ତାଙ୍କ ସମ୍ମାନାର୍ଥେ ଏକ ରାଜକୀୟ ଭୋଜିର ମଧ୍ୟ ଆୟୋଜନ କରାଯିବ।
ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ପୂର୍ବରୁ କହିଥିଲେ ଯେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗର ସମୀକ୍ଷା କରିବେ। ଏଥିସହ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, କୃଷି, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ଭଳି କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିବେ। ଏହା ସହିତ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଘଟଣାବଳୀ ଉପରେ ମଧ୍ୟ ନିଜ ନିଜର ମତ ବିନିମୟ କରିବେ।
ବିବୃତିରେ କୁହାଯାଇଛି, “ଏହି ଗସ୍ତ ସମୟରେ ‘ପାକିସ୍ତାନ-ମାଳଦ୍ୱୀପ ବିଜନେସ୍ ଫୋରମ୍’ର ମଧ୍ୟ ଆୟୋଜନ କରାଯିବ।” ୧୧ ବର୍ଷ ପରେ ମାଳଦ୍ୱୀପର କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ପାକିସ୍ତାନକୁ ରାଜକୀୟ ଗସ୍ତରେ ଆସିଛନ୍ତି।
ମୁଖପାତ୍ରଙ୍କ ଅନୁଯାୟୀ, ଏହି ଗସ୍ତ ଦୁଇ ଦେଶର ଦ୍ୱିପାକ୍ଷିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ପାରସ୍ପରିକ ଲାଭ ପାଇଁ ସହଯୋଗର ନୂଆ ଦିଗ ଖୋଲିବା ନିମନ୍ତେ ଉଭୟ ଦେଶର ସମ୍ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା