
ଭୁବନେଶ୍ୱର, ୨୧ ଅକ୍ଟୋବର (ହି.ସ.)।: ଗଜପତି ଜିଲ୍ଲାର ଅନ୍ତର୍ଗତ ଧନୁପୋଡ଼ା ଗ୍ରାମରେ ଥିବା ପତିତପାବନ ଆଶ୍ରମର ନୂତନ ଗୃହ ନିର୍ମାଣ ନିମନ୍ତେ ଆଜି ଏକ ଭବ୍ୟ ଭୂମି ପୂଜନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ସମାଜର କଲ୍ୟାଣ ତଥା ସେବା କାର୍ଯ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରମୁଖ କାର୍ଯ୍ୟକର୍ତ୍ତା, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଏବଂ ସ୍ଥାନୀୟ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଏହି ପବିତ୍ର ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।
ଆଜି ସକାଳେ ଆଶ୍ରମର ଅନ୍ତେବାସୀ ଏବଂ ଗ୍ରାମବାସୀମାନେ ଶ୍ରୀ ତରଣୀସେନ ଦାଶଙ୍କ ନେତୃତ୍ୱରେ ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ର ଓ ପ୍ରାନ୍ତ ସ୍ତରୀୟ ପ୍ରମୁଖମାନଙ୍କୁ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂଜା ପୂର୍ବରୁ ଆୟୋଜିତ ସାମୂହିକ ଭଜନ-କୀର୍ତ୍ତନ ଏବଂ ହନୁମାନ ଚାଳିଶା ପାଠ ସମଗ୍ର ପରିବେଶକୁ ଭକ୍ତିମୟ କରି ଗଢ଼ିତୋଳିଥିଲା। ଏହାପରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଯଥାବିଧି ଆଶ୍ରମର ନୂତନ ଗୃହ ପାଇଁ ଶିଳାନ୍ୟାସ କରାଯାଇଥିଲା। ଏହି ଶୁଭ ମୁହୂର୍ତ୍ତରେ ଅତିଥି ଏବଂ ସ୍ଥାନୀୟ ବାସିନ୍ଦାମାନେ ଅତ୍ୟନ୍ତ ନିଷ୍ଠାର ସହ ଭୂମି ପୂଜାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ସମାରୋହରେ ବିଶ୍ୱ ହିନ୍ଦୁ ପରିଷଦ କ୍ଷେତ୍ର ସେବା ସହ ପ୍ରମୁଖ ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ, ସମର୍ପଣ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ, ପ୍ରାନ୍ତ ସେବା ସହ ପ୍ରମୁଖ ଶ୍ରୀ ନଗେନ୍ଦ୍ର ମହାରଣା ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ରାଜ୍ୟରେ ଯୁବ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ନ୍ୟାସନାଲ୍ ୟୁଥ୍ ଫର୍ ସୋସିଆଲ୍ ଜଷ୍ଟିସ୍ ଟ୍ରଷ୍ଟର 'ସକ୍ଷମ ଓଡ଼ିଶା' ମିଶନର ପ୍ରତିଷ୍ଠାତା ତଥା ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସଂସ୍କାରଶାଳା ପ୍ରମୁଖ ସରୋଜ କାନ୍ତ ବେହେରା ଉପସ୍ଥିତ ରହି ଏହି ସେବା ପ୍ରକଳ୍ପରେ ନିଜର ସହଯୋଗ ପ୍ରଦାନ କରିଥିଲେ।
ଭୂମି ପୂଜନ ଅବସରରେ କ୍ଷେତ୍ର ଓ ପ୍ରାନ୍ତର ବରିଷ୍ଠ ଅଧିକାରୀ ତଥା ନବଗଠିତ ସମିତିର ସଦସ୍ୟମାନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ସେବା ବିଭାଗ ଆନୁକୂଲ୍ୟରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ଅଞ୍ଚଳବାସୀଙ୍କ ହିତ ପାଇଁ ବ୍ୟାପକ ସେବାମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ ସେବା ଯୋଗାଣ, ଗୁଣାତ୍ମକ ଶିକ୍ଷାର ପ୍ରସାର, ପାରମ୍ପରିକ ଜୈବିକ କୃଷିର ବିକାଶ, ପୁଷ୍ଟିକର ଆହାର ବ୍ୟବସ୍ଥା, ହିନ୍ଦୁ ସଂସ୍କାର ଜାଗରଣ ତଥା ଯୁବପିଢ଼ି ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ୱାବଲମ୍ବନ ଅଭିଯାନର ସମ୍ପ୍ରସାରଣ ଉପରେ ବିସ୍ତୃତ ଆଲୋଚନା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା।
ଗଜପତି ଜିଲ୍ଲାର ଏହି ଦୁର୍ଗମ ଅଞ୍ଚଳରେ ଆଶ୍ରମର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଆଗାମୀ ତିନି ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହମତିରେ ଏକ ନୂତନ ପରିଚାଳନା ସମିତି ଗଠନ କରାଯାଇଛି।
ଭୂମି ପୂଜନ ପରେ ଉପସ୍ଥିତ ସମସ୍ତ ଅତିଥି ତଥା ଗ୍ରାମବାସୀଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ପ୍ରଭୁଙ୍କ ନିକଟରେ ସମର୍ପିତ ଭାବେ ପ୍ରାର୍ଥନା କରିବା ସହ ସମୂହ ହରିବୋଲ ଓ ହୁଳହୁଳି ଧ୍ୱନିରେ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ