
ମାଲକାନଗିରି , ୨୧ ଅକ୍ଟୋବର (ହି.ସ.) ଆଜି ବିଜୟା ଦଶମୀ । ବିଦାୟ ନେବେ ମା' ଦୁର୍ଗା । ମା'ଙ୍କ ବିଦାୟରେ ଭକ୍ତଙ୍କ ମନରେ ଯେତିକି ଭାବବିହ୍ୱଳତା, ସେତିକି ରହିଛି ଆସନ୍ତା ବର୍ଷ ପୁଣି ମା'ଙ୍କ ଆଗମନକୁ ଅପେକ୍ଷା । ଦଶହରାର ଏହି ପବିତ୍ର ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ଦର୍ଶନ ଓ ବିଦାୟ ପର୍ବ । ବିଶେଷକରି ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବା ମଣ୍ଡପଗୁଡ଼ିକରେ ପାଳନ କରାଯାଉଛି ପାରମ୍ପରିକ ସିନ୍ଦୂର ଖେଳ ମାଲକାନଗିରି ଡି ଏନ କେ ଖେଳ ପଡିଆ ଦୁର୍ଗାପୂଜା ମଣ୍ଡପରେ ମଧ୍ୟ ଧୁମ୍ଧାମରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି। ବଙ୍ଗୀୟ ପରମ୍ପରା ଅନୁଯାୟୀ, ସଧବା ମହିଳାମାନେ ମା' ଦୁର୍ଗାଙ୍କୁ ସିନ୍ଦୂର ଅର୍ପଣ କରିବା ସହ ପରସ୍ପରକୁ ସିନ୍ଦୂର ଲଗାଇ ଏହି ପରମ୍ପରା ପାଳନ କରିଛନ୍ତି । ମା'ଙ୍କୁ ବିଦାୟ ଦେବା ପୂର୍ବରୁ ମହିଳାମାନେ ମା'ଙ୍କ ମଥାରେ ସିନ୍ଦୂର ଲଗାଇ ଆଶୀର୍ବାଦ କାମନା କରିଛନ୍ତି । ବଙ୍ଗୀୟ ପରମ୍ପରାରେ ସିନ୍ଦୂର ଖେଳର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ବିଜୟା ଦଶମୀ ଦିନ ମା'ଙ୍କୁ ସିନ୍ଦୂର ଅର୍ପଣ କରିବା ପରେ ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି । ଏହି ପରମ୍ପରା ମହିଳାଙ୍କ ମଧ୍ୟରେ ସ୍ନେହ, ସୌହାର୍ଦ୍ଦ୍ୟ ଓ ଏକତାର ବାର୍ତ୍ତା ଦେଇଥାଏ ।ସେକ୍ ବଜାର ମଣ୍ଡପରେ ମଧ୍ୟ ଏହି ପରମ୍ପରାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ମା'ଙ୍କ ବିଦାୟର ମୁହୂର୍ତ୍ତରେ ମହିଳାମାନେ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ ଢୋଲ, ବାଜା ଓ ଭକ୍ତିମୟ ପରିବେଶ ମଧ୍ୟରେ ମା'ଙ୍କୁ ମେଲାଣି ଦେବାର ପ୍ରସ୍ତୁତି ଚାଲିଛି । ଦୀର୍ଘଦିନର ପୂଜା, ଆରାଧନା ଓ ଉତ୍ସବ ପରେ ଆଜି ମା'ଙ୍କ ବିଦାୟର ସମୟ । ମଣ୍ଡପରେ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଚାରିଆଡ଼େ ଶୁଭୁଛି ଜୟ ମା' ଦୁର୍ଗାଙ୍କ ଧ୍ୱନି। ମା'ଙ୍କୁ ବିଦାୟ ଦେବା ସମୟରେ ସମସ୍ତଙ୍କ ମନରେ ଗୋଟିଏ ଭାବନା-ଆସନ୍ତା ବର୍ଷ ପୁଣି ଧରାପୃଷ୍ଠକୁ ଆସିବେ ମା' ଏବଂ ଭକ୍ତଙ୍କୁ ଦର୍ଶନ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ