
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଆଧ୍ୟାତ୍ମିକ ଶାରଦୀୟ କବିତା ଆସର, ମାତୃଶକ୍ତି ସମ୍ବନ୍ଦୀୟ ଆଲୋଚନା ଚକ୍ର ଓ ମୁଖପତ୍ର ତମସା' ଉନ୍ମୋଚିତ ହୋଇଯାଇଛି। ଦୁର୍ଗା ପୂଜାର ଚତୁର୍ଥ ଦିବସରେ, ଗୁରୁ ପୁଜନ, ଗୀତା ଯଜ୍ଞ, କୁମାରୀ ପୂଜା, ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ, ବିଶିଷ୍ଟ କର୍ମ କାଣ୍ଡବିତ୍ ଇନ୍ଦ୍ରମଣୀ ମିଶ୍ରଙ୍କୁ ଗୁରୁ ଭାବେ ପୂଜା କରିବା ସହ ଉତରୀୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଯଥାକ୍ରମେ ଶ୍ରେଷ୍ଠ ଜ୍ଞାନ ରତ୍ନ ଓ ବାଣୀ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଦେବେନ୍ଦ୍ର କୁମାର ସୂଆର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ସର୍ବେଶ୍ୱର ସେଣ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ପଂଚାୟତ ସମିତ୍ ସଭ୍ୟା ପ୍ରମିଳା ମିଶ୍ର ଯୋଗଦେଇ ମାତୃଶକ୍ତିର ଅଲୌକିକ ଘଟଣାମାନ ଆଲୋଚନା କରିବା ସହ ମହିଷା ରୂପୀ ମଣିଷମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ ପାଇଁ ପରାମର୍ଶ ଦେଇଥିଲେ। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକ୍ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କମିଟିର ସଭାପତି ପଣ୍ଡିତ ଡକ୍ଟର ନାରାୟଣ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇତ୍ୟବସରରେ ଶାରଦୀୟ ସାହିତ୍ୟ ପତ୍ରିକା ତମାସା'ର ଲୋକାର୍ପଣ କରାଯାଇଥିଲା। ସମିତି ସଭ୍ୟ ରତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି