ଉଜ୍ଜୟିନୀ: ଗଣେଶ ସ୍ୱରୂପରେ ସଜ୍ଜିତ ବାବା ମହାକାଳ, ଭାଙ୍ଗ, ଚନ୍ଦନ, ସିନ୍ଦୂର ଓ ରୂପା ଅଳଙ୍କାରରେ କରାଗଲା ଦିବ୍ୟ ଶୃଙ୍ଗାର
ଉଜ୍ଜୟିନୀ, ୨୧ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବୁଧବାର ଭୋର ସମୟରେ ଭସ୍ମ ଆରତି ଅବସରରେ ଭଗବାନ ମହାକାଳଙ୍କୁ ଗଣେଶ ସ୍ୱରୂପରେ ମନୋମୁଗ୍ଧକର ଶୃଙ୍ଗାର କରାଯାଇଥିଲା। ଭାଙ୍ଗ, ଚନ୍ଦନ, ସିନ୍ଦୂର ଓ ରୂପା ଅଳଙ୍କାରରେ ସଜ୍ଜିତ ବାବା ମହାକା
गणेश स्वरूप में सजे बाबा महाकाल


ଉଜ୍ଜୟିନୀ, ୨୧ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବୁଧବାର ଭୋର ସମୟରେ ଭସ୍ମ ଆରତି ଅବସରରେ ଭଗବାନ ମହାକାଳଙ୍କୁ ଗଣେଶ ସ୍ୱରୂପରେ ମନୋମୁଗ୍ଧକର ଶୃଙ୍ଗାର କରାଯାଇଥିଲା। ଭାଙ୍ଗ, ଚନ୍ଦନ, ସିନ୍ଦୂର ଓ ରୂପା ଅଳଙ୍କାରରେ ସଜ୍ଜିତ ବାବା ମହାକାଳଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ଭକ୍ତି ଓ ଆସ୍ଥାର ପରିବେଶରେ ସମ୍ପନ୍ନ ହୋଇଥିବା ଭସ୍ମ ଆରତି ସମୟରେ ମନ୍ଦିର ପରିସର ବାବା ମହାକାଳଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ବୁଧବାର ଭୋର ୪ଟାରେ ମନ୍ଦିରର ଦ୍ୱାର ଖୋଲିବା ପରେ ପ୍ରଥମେ ବୀରଭଦ୍ରଜୀଙ୍କୁ ପ୍ରଣାମ କରାଯାଇ ସ୍ୱସ୍ତିବାଚନ କରାଯାଇଥିଲା। ଏହାପରେ ଅନୁମତି ନେଇ ରୂପାର ଦ୍ୱାର ଖୋଲାଯାଇଥିଲା। ଗର୍ଭଗୃହରେ ପ୍ରତିଷ୍ଠିତ ଦେବଦେବୀଙ୍କ ପୂଜାର୍ଚ୍ଚନା ସହ ଭଗବାନ ମହାକାଳଙ୍କ ଅଭିଷେକ ଓ ପୂଜା କରାଯାଇଥିଲା। ପୂଜକମାନେ ଭଗବାନଙ୍କ ପୂର୍ବ ଶୃଙ୍ଗାର ହଟାଇ ପଞ୍ଚାମୃତ ପୂଜା କରିଥିଲେ ଏବଂ କର୍ପୂର ଆରତି ସମ୍ପନ୍ନ କରିଥିଲେ।

ନନ୍ଦୀ ହଲ୍ରେ ବିରାଜମାନ ନନ୍ଦୀଜୀଙ୍କର ସ୍ନାନ, ଧ୍ୟାନ ଓ ପୂଜା କରାଯାଇଥିଲା। ଏହାପରେ ଭଗବାନ ମହାକାଳଙ୍କ ଜଳାଭିଷେକ କରାଯାଇଥିଲା। କ୍ଷୀର, ଦହି, ଘିଅ, ଚିନି, ମହୁ ଓ ବିଭିନ୍ନ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ କରାଯିବା ସହ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ଭଗବାନଙ୍କୁ ଶୁଖିଲା ଫଳ, ତାଜା ଫଳ ଓ ମିଷ୍ଟାନ୍ନ ଭୋଗ ଅର୍ପଣ କରାଯାଇଥିଲା। ପୂଜା ସମାପ୍ତ ହେବା ପରେ ଜ୍ୟୋତିର୍ଲିଙ୍ଗ ଉପରେ ଭସ୍ମ ଅର୍ପଣ କରାଯାଇଥିଲା।

ଭସ୍ମ ଆରତି ସମୟରେ ଭଗବାନ ମହାକାଳଙ୍କୁ ଭାଙ୍ଗ, ଚନ୍ଦନ ଓ ସିନ୍ଦୂରରେ ଶୃଙ୍ଗାର କରାଯାଇଥିଲା। ଏହାପରେ ଶେଷନାଗଙ୍କ ରୂପା ମୁକୁଟ, ରୂପାର ମୁଣ୍ଡମାଳ, ରୁଦ୍ରାକ୍ଷ ମାଳା ଏବଂ ସୁଗନ୍ଧିତ ପୁଷ୍ପମାଳା ଅର୍ପଣ କରାଯାଇଥିଲା। ବିଭିନ୍ନ ଅଳଙ୍କାରରେ ସଜ୍ଜିତ ବାବା ମହାକାଳଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ମହା ନିର୍ବାଣୀ ଆଖଡ଼ା ପକ୍ଷରୁ ଭଗବାନଙ୍କୁ ଭସ୍ମ ଅର୍ପଣ କରାଯାଇଥିଲା।

ଧାର୍ମିକ ମାନ୍ୟତା ଅନୁଯାୟୀ, ଭସ୍ମ ଅର୍ପଣ ପରେ ଭଗବାନ ମହାକାଳ ନିରାକାରରୁ ସାକାର ସ୍ୱରୂପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଭସ୍ମ ଆରତି ସମୟରେ ଶ୍ରଦ୍ଧାଳୁମାନେ ନନ୍ଦୀ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ କାନ ପାଖରେ ନିଜ ମନୋକାମନା ଜଣାଇଥିଲେ। ବାବା ମହାକାଳଙ୍କ ଜୟଧ୍ୱନି ମଧ୍ୟରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande