
ୱାଶିଂଟନ (ଆମେରିକା)/ତେହେରାନ (ଇରାନ), ୨୧ ଅକ୍ଟୋବର (ହି.ସ.)। ଇରାନ ସହ ଶାନ୍ତି ଚୁକ୍ତି କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ତେହେରାନ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଇରାନ ଉପରେ ଆର୍ଥିକ ଚାପ ଜାରି ରହିବ। ଏହାର ଜବାବରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଯେପର୍ଯ୍ୟନ୍ତ ୱାଶିଂଟନ ତେହେରାନର ସର୍ତ୍ତଗୁଡ଼ିକୁ ଗ୍ରହଣ ନକରିଛି, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏଥିସହ ପାକିସ୍ତାନ ଓ କତାର ମାଧ୍ୟମରେ ପରୋକ୍ଷ ଆଲୋଚନା ଜାରି ରହିଥିବା ସେ କହିଛନ୍ତି।
ଅଲ୍ ଜଜିରା ଓ ସିବିଏସ୍ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ରୁବିଓ ଓ ଆରାଘଚି ନିଜ ନିଜ ଦେଶର ଗଣମାଧ୍ୟମ ସହ ଆଲୋଚନା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ସାମ୍ନାକୁ ଆସିଛି। ଇରାନ ବିରୋଧରେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ୱାଶିଂଟନ ପ୍ରସ୍ତୁତ ଥିବା ସେ କହିଛନ୍ତି। ତାଙ୍କ ମତରେ, “ଇରାନ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ ନକରେ, ତାହା ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ।”
ଇରାନ ଏହା ମଧ୍ୟ କହିଛି ଯେ ତା’ର ସମୃଦ୍ଧୀକୃତ ୟୁରାନିୟମ୍ ଦେଶ ଭିତରେ ହିଁ ରହିବ। ପ୍ରାୟ ୪୦୦ କିଲୋଗ୍ରାମ ପରମାଣୁ ସାମଗ୍ରୀକୁ ରୁଷ୍ର ହେପାଜତରେ ରଖିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଇରାନ ଖାରଜ କରିଦେଇଛି। ଏଭଳି ଘୋଷଣା ସେହି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନର ସେନାମୁଖ୍ୟ ଆସିମ ମୁନିର ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ତେହେରାନ ଗସ୍ତରେ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା