ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ
केंद्रीय मंत्री अमित शाह (फाइल फोटो)


ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶାସନିକ ଦକ୍ଷତା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ପ୍ରଭାବଶାଳୀ କରିଛି। ମାଓବାଦୀ ବିପଦକୁ ଶେଷ କରିବା ଏବଂ ନିଶାମୁକ୍ତ ସମାଜ ଗଠନର ଆମ ସ୍ୱପ୍ନକୁ ଆଗକୁ ବଢ଼ାଇବା ଦିଗରେ ମିଳିଥିବା ସଫଳତା ବିଶେଷ ଭାବେ ଉଲ୍ଲେଖନୀୟ। ଲୋକଙ୍କ ସେବାରେ ତାଙ୍କୁ ଏକ ଦୀର୍ଘ ଓ ସୁସ୍ଥ ଜୀବନ ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି।”

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ଦେଶରୁ ନକ୍ସଲବାଦକୁ ଶେଷ କରି ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଦେଶରେ ସମବାୟ କ୍ଷେତ୍ରକୁ ନୂଆ ଦିଗ ଦେବା ଏବଂ ଜାତୀୟ ଏକତା ଓ ଅଖଣ୍ଡତାକୁ ମଜଭୁତ କରିବା ଦିଗରେ ଅମିତ ଶାହଙ୍କ ପ୍ରୟାସ ପ୍ରେରଣାଦାୟୀ। ରାଷ୍ଟ୍ରହିତ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା କୋଟି କୋଟି ଭାରତୀୟଙ୍କୁ ଉତ୍ସାହିତ କରୁଛି। ନିଶାମୁକ୍ତ ଭାରତ ଗଠନର ତାଙ୍କ ସଂକଳ୍ପ ପରିବାର ଓ ରାଷ୍ଟ୍ରହିତ ପ୍ରତି ତାଙ୍କର ବ୍ୟାପକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଶାହଙ୍କ ଅଭିଜ୍ଞତା, ଶକ୍ତି ଏବଂ ରାଷ୍ଟ୍ରସେବାର ସଂକଳ୍ପ ଦେଶର ପ୍ରଗତି, ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ନୂଆ ପଥ ଖୋଲି ଚାଲୁ ବୋଲି ସେ କାମନା କରିଛନ୍ତି। ଏଥିସହ ଈଶ୍ୱର ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅସୀମ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଅମିତ ଶାହ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସମବାୟ କ୍ଷେତ୍ରକୁ ନୂଆ ଗତି ଦେବା ପାଇଁ ପୂର୍ଣ୍ଣ ନିଷ୍ଠା ଓ ପରିଶ୍ରମର ସହ କାର୍ଯ୍ୟ କରୁଛନ୍ତି। ସେ ଅମିତ ଶାହଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ରାଷ୍ଟ୍ରସେବାରେ ନିରନ୍ତର ସକ୍ରିୟତା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଅମିତ ଶାହଙ୍କ ‘ନକ୍ସଲମୁକ୍ତ ଭାରତ’ ସଂକଳ୍ପ ସାକାର ହେବା ଏକ ଐତିହାସିକ ଉପଲବ୍ଧି, ଯାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିଛି। ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟ ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ଶାହଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ଜନସହଭାଗିତା ମାଧ୍ୟମରେ ଏହି ସଂକଳ୍ପ ମଧ୍ୟ ନିଶ୍ଚିତ ଭାବେ ସଫଳ ହେବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି। ରାଷ୍ଟ୍ରସେବା ପ୍ରତି ଶାହଙ୍କ ସମର୍ପଣ, ପରିଶ୍ରମ ଓ ଜନକଲ୍ୟାଣର ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ଏଥିସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରିଛନ୍ତି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅମିତ ଶାହଙ୍କୁ ଜଣେ ଲୋକପ୍ରିୟ ଜନନେତା, ଦକ୍ଷ ସଂଗଠକ ଏବଂ ଉତ୍ତମ ରଣନୀତିକାର ଭାବେ ବର୍ଣ୍ଣନା କରିଛନ୍ତି। ନିଜର ଦୃଢ଼ ସଂକଳ୍ପଶକ୍ତି ବଳରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଏବଂ ସମବାୟ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅମିତ ଶାହଙ୍କ ଉପରେ ବାବା ସୋମନାଥଙ୍କ କୃପା ସର୍ବଦା ରହୁ, ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ ବୋଲି ଶ୍ରୀ ଚୌହାନ ପ୍ରାର୍ଥନା କରିଛନ୍ତି।

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଭୂତପୂର୍ବ ଭାବେ ସୁଦୃଢ଼ କରିବା, ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ସମବାୟ କ୍ଷେତ୍ରକୁ ସଶକ୍ତ କରିବାରେ ଅମିତ ଶାହଙ୍କ ନେତୃତ୍ୱ ନିର୍ଣ୍ଣାୟକ ରହିଛି। ସଂଗଠନର ସମ୍ପ୍ରସାରଣଠାରୁ ଆରମ୍ଭ କରି ରାଷ୍ଟ୍ରହିତ ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ପର୍ଯ୍ୟନ୍ତ, ତାଙ୍କ କାର୍ଯ୍ୟଶୈଳୀ ଓ ଦୃଢ଼ ଇଚ୍ଛାଶକ୍ତି ଦେଶର ରାଜନୀତିରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ଯେ ରାଷ୍ଟ୍ରହିତ ପ୍ରତି ଅମିତ ଶାହଙ୍କ ଅତୁଟ ସମର୍ପଣ ଏବଂ ସଂଗଠନକୁ ସଶକ୍ତ କରିବାରେ ତାଙ୍କର ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଈଶ୍ୱର ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରନ୍ତର ରାଷ୍ଟ୍ରସେବା କରିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande