
ଲକ୍ଷ୍ନୌ, ୨୨ ଅକ୍ଟୋବର (ହି.ସ.)- ଉତରପ୍ରଦେଶରେ ୨୦୨୭ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ରାଜ୍ୟରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହି ପରିପ୍ରେକ୍ଷୀରେ ଲକ୍ଷ୍ନୌର ଆଶିୟାନାସ୍ଥିତ ଚାନ୍େସଲର କ୍ଲବ୍ରେ ସଂଘର ଏକ ବୈଠକ ଚାଲିଛି। ଏଥିରେ ଯୋଗଦେବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଅରୁଣ କୁମାର ଓ ଅତୁଲ ଲିମୟେ ଗୁରୁବାର ଲକ୍ଷ୍ନୌରେ ପହଂଚିଛନ୍ତି।
ଦୁଇ ସହ-ସରକାର୍ଯ୍ୟବାହଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକକୁ ଉତରପ୍ରଦେଶ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସଂଘର ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମ ଶେଷ ହେବା ପରେ ସଂଘର ସମ୍ପୂର୍ଣ୍ଣ ଧ୍ୟାନ ଏବେ ଉତରପ୍ରଦେଶ ଉପରେ ରହିଛି। ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗଙ୍କ ନିକଟରେ ପହଂଚିବା ପାଇଁ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଉଛି।
ଏହି ବୈଠକରେ ସଂଘର ଅବଧ ଓ କାନପୁର ପ୍ରାନ୍ତର ପଦାଧିକାରୀଙ୍କ ସମେତ ସଂଘର ସମାନ ବିଚାରଧାରାର ବିଭିନ୍ନ ସଂଗଠନର ପ୍ରାନ୍ତୀୟ ପଦାଧିକାରୀମାନଙ୍କୁ ଡକାଯାଇଛି। ଏହା ବ୍ୟତୀତ ଉତରପ୍ରଦେଶର ସମସ୍ତ ୬ଟି ପ୍ରାନ୍ତର ପ୍ରାନ୍ତ ପ୍ରଚାରକ, ପୂର୍ବ ଓ ପଶ୍ଚିମ ଉତରପ୍ରଦେଶର ଉଭୟ କ୍ଷେତ୍ର ପ୍ରଚାରକ ଏବଂ ଏହି ଦୁଇ କ୍ଷେତ୍ରର ବିଭିନ୍ନ ସଂଗଠନର କ୍ଷେତ୍ରୀୟ ପଦାଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଉଛନ୍ତି।
ସଂଘର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ନିକଟରେ ଚାରିଦିନିଆ ଗସ୍ତରେ ଲକ୍ଷ୍ନୌ ଆସିଥିଲେ। ଏହି ସମୟରେ ସେ କ୍ଷେତ୍ରର କୋର୍ କମିଟି ସହ ବୈଠକ କରିଥିଲେ। ଏଥିସହ ସଂଘର କ୍ଷେତ୍ରୀୟ ପଦାଧିକାରୀ ଓ ବରିଷ୍ଠ ପ୍ରଚାରକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କେତେକ ପଦାଧିକାରୀଙ୍କ ସହ ସେ ବ୍ୟକ୍ତିଗତ ଭାବେ ମଧ୍ୟ ଆଲୋଚନା କରିଥିଲେ। ସରକାର୍ଯ୍ୟବାହଙ୍କଠାରୁ ମିଳିଥିବା ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ଦିଗରେ ଏହି ବୈଠକକୁ ମଧ୍ୟ ଏକ ପଦକ୍ଷେପ ଭାବେ ଦେଖାଯାଉଛି।
ସୂତ୍ର ଅନୁଯାୟୀ, ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସଂଘ ସହ ଜଡ଼ିତ ବିଭିନ୍ନ ସଂଗଠନର ପୃଥକ୍ ବୈଠକ ମଧ୍ୟ ଆୟୋଜନ କରାଯିବ। ଏହି ବୈଠକଗୁଡ଼ିକରେ ବିଭିନ୍ନ ସଂଗଠନର ପଦାଧିକାରୀ ଓ କାର୍ଯ୍ୟକର୍ତାମାନଙ୍କୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିପାଇଁ ପ୍ରାନ୍ତସ୍ତରରେ ବକ୍ତା କର୍ମଶାଳା ମଧ୍ୟ ଆୟୋଜନ କରାଯିବ। ଏହା ବ୍ୟତୀତ ଛୋଟ ଛୋଟ ବୈଠକ ମଧ୍ୟ କରାଯିବ। ଏହି ବୈଠକଗୁଡ଼ିକ ମାଧ୍ୟମରେ ଶତପ୍ରତିଶତ ମତଦାନ ପାଇଁ ଲୋକଙ୍କୁ ସଚେତନ କରାଯିବ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ