୭ମ ଆଗ୍ରିଭୋଲ୍ଟାଇକ୍ସ ୱାର୍ଲ୍ଡ କନଫରେନ୍ସ ୨୦୨୬:
ଓଡ଼ିଶା ଚୂଡ଼ାନ୍ତ କରୁଛି ଭାରତର ପ୍ରଥମ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ନୀତି - ଗୋଟିଏ ଜମି, ଦୁଇଟି ଅମଳ'' – କୃଷି ଉତ୍ପାଦନ ସହ ସ୍ୱଚ୍ଛ ଶକ୍ତିର ସମନ୍ୱୟ: କେଭି ସିଂହଦେଓ ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.)- ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ୭ମ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ୱାର
kv


ଓଡ଼ିଶା ଚୂଡ଼ାନ୍ତ କରୁଛି ଭାରତର ପ୍ରଥମ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ନୀତି

- ଗୋଟିଏ ଜମି, ଦୁଇଟି ଅମଳ' – କୃଷି ଉତ୍ପାଦନ ସହ ସ୍ୱଚ୍ଛ ଶକ୍ତିର ସମନ୍ୱୟ: କେଭି ସିଂହଦେଓ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.)- ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ୭ମ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ୱାର୍ଲ୍ଡ କନଫରେନ୍ସ ୨୦୨୬ରେ ଯୋଗଦେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ଯୁଗାନ୍ତକାରୀ ଆଗ୍ରି-ପିଭି ନୀତି ୨୦୨୬' ଚୂଡ଼ାନ୍ତ ହେଉଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହା ସହିତ ଏକ ସ୍ୱତନ୍ତ୍ର ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ନୀତି ପ୍ରଣୟନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବାର ଗୌରବ ହାସଲ କରିବାକୁ ଯାଉଛି। ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ, ଆଇଆଇଏସଡ଼ି ଏବଂ ସିଇଇଡ଼ବ୍ଲୁର ମିଳିତ ସହଯୋଗରେ ଆୟୋଜିତ ୭ମ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ୱାର୍ଲ୍ଡ କନଫରେନ୍ସର ମନ୍ତ୍ରୀସ୍ତରୀୟ ଅଧିବେଶନରେ ଅଭିଭାଷଣ ଦେଇ ଉପମୁଖ୍ୟମନ୍ତ୍ରୀ ଗୋଟିଏ ଜମି, ଦୁଇଟି ଅମଳ' ଦୂରଦୃଷ୍ଟି ଉପସ୍ଥାପନ କରିବା ସହ ପ୍ରଥମେ କୃଷକ, ତା'ପରେ ସୌର ପ୍ୟାନେଲ୍ ମୂଳମନ୍ତ୍ର ଆଧାରରେ କୃଷି ଉତ୍ପାଦନ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, 'ଆମେ ଆମର କୃଷକମାନଙ୍କୁ ଅନ୍ନଦାତା ରୁ ଉର୍ଜାଦାତା ପର୍ଯ୍ୟନ୍ତ' ସଶକ୍ତ କରିବାକୁ ଚାହୁଁଛୁ।

ପ୍ରସ୍ତାବିତ ନୀତି ଅଧୀନରେ ୨୦୩୦ ସୁଦ୍ଧା ଓଡ଼ିଶାରେ ୧ ଗିଗାୱାଟ୍ ଆଗ୍ରି-ଫୋଟୋଭୋଲ୍ଟାଇକ୍ କ୍ଷମତା ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କଠୋର ଆଇନଗତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପ୍ରକଳ୍ପ ସ୍ଥଳର ଅତିକମରେ ୯୦ ପ୍ରତିଶତ ଜମିରେ ସକ୍ରିୟ ଚାଷ କାର୍ଯ୍ୟ ଜାରି ରହିବା ସହ ଜମିର କୃଷି ବର୍ଗୀକରଣ ଏବଂ ଫସଲ ବୀମା ଯୋଗ୍ୟତା ଅକ୍ଷୁର୍ଣ୍ଣ ରହିବ। ଏହି ବ୍ୟବସ୍ଥା ଦ୍ୱାରା ଚାଷୀମାନେ ନିଜେ ସୌର ପ୍ରକଳ୍ପ ସ୍ଥାପନ କରି ଫସଲ ବିକ୍ରି ଓ ବିଦ୍ୟୁତ୍ ଉତ୍ପାଦନରୁ ଦ୍ୱିଗୁଣିତ ଆୟ କରିପାରିବେ କିମ୍ବା ଡେଭଲପରମାନଙ୍କ ସହ ଦୀର୍ଘକାଳୀନ ଭଡ଼ା ଚୁକ୍ତି କରିପାରିବେ। ନିବେଶକ ଓ ଡେଭଲପରମାନଙ୍କୁ ଦୀର୍ଘକାଳୀନ ନିଶ୍ଚିତତା ଯୋଗାଇଦେବା ପାଇଁ ଗ୍ରୀଡ଼କୋ ସହିତ ୨୫ ବର୍ଷର ପାୱାର ପର୍ଚେଜ୍ ଏଗ୍ରିମେଂଟ, ନିଶ୍ଚିତ ବିଦ୍ୟୁତ୍ କ୍ରୟ, ଗ୍ରୀଡ୍ ସଂଯୋଗୀକରଣ ଏବଂ ଓପନ୍-ଏକ୍ସେସ୍ ଅଧିକାର ପ୍ରଦାନ କରାଯାଉଛି। ଏହା ସହିତ କୃଷକମାନଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକୃତ କରାଯାଇ ଆଗ୍ରି-ପିଭି ପ୍ରୋତ୍ସାହନକୁ ବୁନ୍ଦା ଜଳସେଚନ, ଶୀତଳ ଭଣ୍ଡାର, ସୌର ପମ୍ପ ଏବଂ କୃଷି-ପ୍ରସେସିଂ ସହିତ ସମନ୍ୱିତ କରାଯାଉଛି।

୨୦୭୦ ସୁଦ୍ଧା ରାଜ୍ୟରେ ତାପମାତ୍ରା ବୃଦ୍ଧି ଓ ଅନିୟମିତ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳତାର ଆବଶ୍ୟକତା ଉପରେ ଶ୍ରୀ ସିଂହଦେଓ ଆଲୋକପାତ କରିଥିଲେ। ସେ ଦର୍ଶାଇଥିଲେ ଯେ, ଉଚ୍ଚାରେ ସ୍ଥାପିତ ସୌର ପ୍ୟାନେଲଗୁଡ଼ିକ କ୍ଷେତରେ ଅନୁକୂଳ ଜଳବାୟୁ ସୃଷ୍ଟି କରିବା ସହ ମୃତ୍ତିକାର ଆର୍ଦ୍ରତା ରକ୍ଷା କରିବ ଏବଂ ଫସଲ ଓ ଚାଷୀଙ୍କୁ ସୁରକ୍ଷା ଯୋଗାଇବ। ସୂଚନାଯୋଗ୍ୟ ଯେ, ଏହି ପଦକ୍ଷେପ ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ୨୦୨୨' ଏବଂ ଫେବୃଆରୀ ୨୦୨୬ରେ ଆୟୋଜିତ ରିନେବୁଲ ଏନର୍ଜି ଇନଭେଷ୍ଟର କନକ୍ଲେଭ'ର ସଫଳତା ସହ ଆଗକୁ ବଢ଼ୁଛି, ଯେଉଁଥିରେ ୬.୮ ଗିଗାୱାଟ କ୍ଷମତା ପାଇଁ ୬୭,୦୦୦ କୋଟିର ନିବେଶ ପ୍ରସ୍ତାବ ମିଳିଥିଲା। ବର୍ତମାନ ୧ ମେଗାୱାଟ୍ ର ପାଇଲଟ୍ ଆଗ୍ରି-ପିଭି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାର ୪୦.୭ ଲକ୍ଷ ଏକର ଚାଷଜମି ଏବଂ ୪୭.୭ ଲକ୍ଷ ଏକର ପଡ଼ିଆ ଜମିରେ ଅତ୍ୟାଧୁନିକ ଆଗ୍ରି- ଫୋଟୋଭୋଲ୍ଟାଇକ୍ ସମାଧାନର ପରୀକ୍ଷଣ ପାଇଁ ସିଙ୍ଗାପୁରର ନାନ୍ ୟାଙ୍ଗ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି ସହ ମିଳିତ ଭାବେ କାର୍ଯ୍ୟ ଚାଲିଛି। ନିଜ ଅଭିଭାଷଣର ଶେଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ କୃଷକ-କୈନ୍ଦ୍ରିକ ଜାତୀୟ ଆଗ୍ରି-ଫୋଟୋଭୋଲ୍ଟାଇକ୍ସ ପାଇଁ ବିଶ୍ୱର ଗବେଷଣା ଅନୁଷ୍ଠାନ, ବେସରକାରୀ ନିବେଶକ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ଓଡ଼ିଶା ସହ ହାତ ମିଳାଇବାକୁ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande