ସ୍ନେହସେତୁ କାର୍ଯ୍ୟକ୍ରମର ଆଉ ଏକ ସଫଳତା ; ଉତରପ୍ରଦେଶର ନିଖୋଜ ବ୍ୟକ୍ତିକୁ ପରିବାର ସହ ପୁନଃମିଳନ କରାଇଲା ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ
Another success story of sneha setu
ସ୍ନେହସେତୁ କାର୍ଯ୍ୟକ୍ରମର ଆଉ ଏକ ସଫଳତାry of sneha setu


ଝାରସୁଗୁଡ଼ା, ୨୨ ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ପଦକ୍ଷେପ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ସ୍ନେହସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଉ ଏକ ଅସହାୟ ପରିବାର ମୁହଁରେ ହସ ଫୁଟିଛି। ଉତରପ୍ରଦେଶରୁ ନିଖୋଜ ହୋଇଥିବା ମୁରାରୀ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗରେ ଆଜି ସଫଳତାର ସହ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଅକ୍ଟୋବର ୧୪ ତାରିଖରେ ବେଲପାହାଡ଼ ଥାନା ପୋଲିସ ଦ୍ୱାରା ଅସହାୟ ଅବସ୍ଥାରେ ଥିବା ମୁରାରୀ ଗୁପ୍ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ଅଧୀନସ୍ଥ ଆଶ୍ରୟସ୍ଥଳୀରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କୁ ଉପଯୁକ୍ତ ଯତ୍ନ, ସ୍ୱାସ୍ଥ୍ୟ ପରୀକ୍ଷା ତଥା କାଉନସେଲିଂ ପ୍ରଦାନ କରାଯାଇଥିଲା। କାଉନସେଲିଂ ବେଳେ ସେ ନିଜ ଠିକଣା ଉତରପ୍ରଦେଶ ରାଜ୍ୟର କୁଶୀନଗର ଜିଲ୍ଲା ବୋଲି ପ୍ରକାଶ କରିଥିଲେ।

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଦିଗଦର୍ଶନରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ‘ସ୍ନେହସେତୁ’ କାର୍ଯ୍ୟକ୍ରମ ଜରିଆରେ ତୁରନ୍ତ ଉତରପ୍ରଦେଶର ସମ୍ପୃକ୍ତ ପ୍ରଶାସନ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ପରିବାର ସଦସ୍ୟଙ୍କ ସନ୍ଧାନ ମିଳିବା ପରେ ସେମାନଙ୍କୁ ଝାରସୁଗୁଡ଼ା ଆସିବା ପାଇଁ ସୂଚନା ଦିଆଯାଇଥିଲା। ଆଜି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜୁକ୍ତା ମେହେର ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ କାଗଜପତ୍ର ପ୍ରକ୍ରିୟା ଶେଷ କରାଯାଇ ମୁରାରୀଙ୍କୁ ତାଙ୍କ ପରିବାର ହାତରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ନିଜ ଆତ୍ମୀୟଙ୍କୁ ସୁସ୍ଥ ଓ ସୁରକ୍ଷିତ ଫେରିପାଇ ପରିବାରବର୍ଗ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ତଥା ସାମାଜିକ ସୁରକ୍ଷା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande