
ଆଜାଦ ହିନ୍ଦ ବାହିନୀର ୮୩ତମ ପ୍ରତିଷ୍ଠା ଦିବସରେ ଆଲୋଚନାଚକ୍ର
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଆଜାଦ ହିନ୍ଦ ବାହିନୀର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହର ଦ୍ୱିତୀୟ ଦିବସରେ ‘ପ୍ରାକୃତିକ ସମ୍ପଦ ଓ ଆଗାମୀ ପିଢ଼ି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଓଡ଼ିଶାର ଖଣିଜ ଓ ପ୍ରାକୃତିକ ସମ୍ପଦର ସୁରକ୍ଷାରେ ରାଜ୍ୟର ଡବଲ ଇଞ୍ଜିନ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ। ପୁଞ୍ଜିପତିଙ୍କ ହାତରେ ସମ୍ପତି କେନ୍ଦ୍ରୀଭୂତ ହେବା ସାଧାରଣ ଲୋକଙ୍କ ବିକାଶରେ ବାଧକ ସାଜୁଥିବା ସେ କହିଥିଲେ। ଗାନ୍ଧିଜୀ ଓ ନେତାଜୀଙ୍କ ଆଦର୍ଶରେ ସତ୍ୟାଗ୍ରହ ମାଧ୍ୟମରେ ଦେଶ ଓ ରାଜ୍ୟର ସମ୍ପଦକୁ ସୁରକ୍ଷା ଦେବାକୁ ସେ ଆହ୍ୱାନ ଦେଇଥିଲେ।
ଅତିଥି ବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମତାକ୍ରାନ୍ତି ଦଳର ଜାତୀୟ ଅଧ୍ୟକ୍ଷ ବ୍ରଜ କିଶୋର ତ୍ରିପାଠୀ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ।
ବକ୍ତାମାନେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ, ୨୦୨୬କୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହାଦ୍ୱାରା ଦେଶ ଓ ଓଡ଼ିଶାର ପ୍ରାକୃତିକ ସମ୍ପଦ କମ୍ପାନୀଙ୍କ ହାତକୁ ଚାଲିଯିବାର ଆଶଙ୍କା ରହିଥିବା ଅଭିଯୋଗ କରିଥିଲେ। ରାଜ୍ୟର ପ୍ରାକୃତିକ ସମ୍ପଦର ସୁବିନିଯୋଗ ଦ୍ୱାରା ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେମାନେ ମତ ଦେଇଥିଲେ। ସମ୍ପଦ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ନେତାଜୀଙ୍କ ଆଦର୍ଶରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ନେତାଜୀଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା