ଅକ୍ଟୋବର ୨୬-୨୭ ତାରିଖରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ହେବ ଦ୍ୱାଦଶ ବ୍ରିକ୍ସ ସଂସଦୀୟ ମଞ୍ଚ
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆସନ୍ତା ୨୬ ଓ ୨୭ ଅକ୍ଟୋବରରେ ଦ୍ୱାଦଶ ବ୍ରିକ୍ସ ସଂସଦୀୟ ମଞ୍ଚ ଆୟୋଜିତ ହେବ। ଗୁରୁବାର ସଂସଦ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି।
लोकसभा अध्यक्ष ओम बिरला संवाददाता सम्मेलन के दौरान मौजूद।


ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆସନ୍ତା ୨୬ ଓ ୨୭ ଅକ୍ଟୋବରରେ ଦ୍ୱାଦଶ ବ୍ରିକ୍ସ ସଂସଦୀୟ ମଞ୍ଚ ଆୟୋଜିତ ହେବ। ଗୁରୁବାର ସଂସଦ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି।

ବିର୍ଲା କହିଛନ୍ତି ଯେ, ଏହି ଦୁଇଦିନିଆ ଉଚ୍ଚସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଭାବେ ଉପସ୍ଥିତ ରହିବେ ଏବଂ ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିମଣ୍ଡଳର ନେତାମାନଙ୍କୁ ଭେଟିବେ। ଚଳିତ ବର୍ଷର ଏହି ମଞ୍ଚର ମୁଖ୍ୟ ବିଷୟବସ୍ତୁ ରହିଛି ‘ଜନକୈନ୍ଦ୍ରିକ ବିକାଶ ପାଇଁ ସଂସଦଗୁଡ଼ିକୁ ସୁଦୃଢ଼ କରିବା’।

ସମ୍ମିଳନୀରେ ଚାରୋଟି ପ୍ରମୁଖ ବିଷୟ ଉପରେ ସହମତି ଭିତ୍ତିକ ଆଲୋଚନା ହେବ। ସେଗୁଡ଼ିକ ହେଲା: ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ସଂସଦର ଗୁରୁତ୍ୱପୂର୍ଣ୍ଣ ଭୂମିକା। ସଂସଦ ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଡିଜିଟାଲ୍ ପ୍ରଯୁକ୍ତି କ୍ଷେତ୍ରରେ ମାନବକୈନ୍ଦ୍ରିକ ନବସୃଜନକୁ ପ୍ରୋତ୍ସାହନ। ସଂସଦୀୟ ସହଯୋଗ ମାଧ୍ୟମରେ ଅଧିକ ପ୍ରତିନିଧିତ୍ୱମୂଳକ ବିଶ୍ୱ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିବା। ସଦସ୍ୟ ଦେଶଗୁଡ଼ିକର ସ୍ଥାୟୀ ଓ ସମାବେଶୀ ଭବିଷ୍ୟତ ସୁନିଶ୍ଚିତ କରିବାରେ ସଂସଦର ଭୂମିକା।

ବିର୍ଲା ଆହୁରି କହିଛନ୍ତି ଯେ, ସଂସଦୀୟ କୂଟନୀତି, ଦକ୍ଷତା ବିକାଶ ଏବଂ ଶ୍ରେଷ୍ଠ କାର୍ଯ୍ୟପଦ୍ଧତିର ଆଦାନପ୍ରଦାନ ଉପରେ ଆଲୋଚନା କରିବା ପାଇଁ ବ୍ରିକ୍ସର ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ସଂସଦର ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯିବ। ମିଳିତ ବିବୃତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଅକ୍ଟୋବର ୨୫ ତାରିଖରେ ପ୍ରତିନିଧିମଣ୍ଡଳଗୁଡ଼ିକର ସଚିବମାନଙ୍କର ଏକ ବୈଠକ ହେବ।

ପୂର୍ଣ୍ଣାଙ୍ଗ ଅଧିବେଶନ ଓ ଦ୍ୱିପାକ୍ଷିକ ଆଲୋଚନା ବ୍ୟତୀତ ଅତିଥିମାନଙ୍କ ସମ୍ମାନାର୍ଥେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଜିର ଆୟୋଜନ କରାଯିବ। ବିଦେଶୀ ପ୍ରତିନିଧିମାନେ ଭାରତୀୟ ସଂସଦ ପରିଦର୍ଶନ କରିବା ସହ ଦିଲ୍ଲୀର ବିଭିନ୍ନ ସାଂସ୍କୃତିକ ସ୍ଥଳୀ ବୁଲି ଦେଖିବେ।

ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ପୀଠାସୀନ ଅଧିକାରୀ, ସଂସଦୀୟ ନେତା, କେନ୍ଦ୍ରୀୟ ମନ୍ତ୍ରୀ, ରାଜ୍ୟସଭାର ଉପସଭାପତି ହରିବଂଶ ଏବଂ ବିଭିନ୍ନ ରାଜ୍ୟର ବିଧାନମଣ୍ଡଳର ପୀଠାସୀନ ଅଧିକାରୀମାନେ ଯୋଗଦେବେ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ବିଦେଶୀ ସଂସଦୀୟ ପ୍ରତିନିଧିମଣ୍ଡଳର ମୁଖ୍ୟମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ସମାପନୀ ଅଭିଭାଷଣ ପ୍ରଦାନ କରିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande